ଭୁବନେଶ୍ୱର– ରାଜ୍ୟରେ ଆଜିଠାରୁ ଧାନ କିଣା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ଆଜି ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନମଣ୍ଡି ଖୋଲାଯିବା ସହିତ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଦଲାଲ ମୁକ୍ତ ଧାନ କିଣା, କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସରକାର ସୁନିଶ୍ଚିତ କରୁଛନ୍ତି। ଆମ ସରକାର ପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କ ଠାରୁ ୩୧୦୦ ଟଙ୍କାରେ ଧାନ କିଣିବା ସହିତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ନିମନ୍ତେ ମଣ୍ଡିରେ ନୋଡାଲ ଅଧିକାରୀ, କଣ୍ଟ୍ରୋଲ ରୁମ, ପାଟ୍ରୋଲିଂ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୃଙ୍ଖଳିତ ଭାବେ ଧାନ କିଣିବା ସହ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।
ଏଠାରେ ସୂଚନାଯୋଗ୍ୟ, ଆଜିଠାରୁ ଧାନମଣ୍ଡି ଖୋଲିବା ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ । ଆଜିବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ କିଣାରେ ବଡ ଜିଲ୍ଲା । ସେଥିପାଇଁ ସମସ୍ତ ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାନ କିଣା ଆରମ୍ଭରୁ ଧାନ ବିକ୍ରି ପର୍ଯ୍ୟନ୍ତ ରହିବେ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ଅଧିକୃତ ଅଧିକାରୀ ରହିବେ । କଟନୀ ଛଟନୀ ହେଉଛି ନା ନାହିଁ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ ତାହା ଦେଖିବେ ସରକାର । ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ କରାଯିବ । ଏହାପରେ ଜିଲ୍ଲାପାଳ ରାଜ୍ୟସରକାରଙ୍କୁ ଏନେଇ ରିପୋର୍ଟ୍ ପ୍ରଦାନ କରିବେ । ଏଥିସହ ୪ ରୁ ୫ ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲ ମାନେ ଯେମିତି ମଣ୍ଡି ମଧ୍ୟକୁ ଆସିପାରିବେ ନାହିଁ ସେ ନେଇ ମଧ୍ୟ ପୋଲିସ ପାଟ୍ରୋଲିଂ କରାଯିବ । ବରଗଡ଼ ଓ ସମ୍ୱଲପୁର ପାଇଁ ମୋର ଉତ୍ତର ଦାୟିତ୍ୱ ରହିଛି । ସେଠାରେ କେମିତି ଧାନ ବିକ୍ରି ଠିକ୍ ଠାକ୍ ହେବ , ଚାଷୀ ମାନେ ତାଙ୍କର ଉପଯୁକ୍ତ ମୂଲ୍ୟ ପାଇପାରିବେ, ସଫଳତାର ସହ କେମିତି ଧାନ ବିକ୍ରି କରିପାରିବେ ତାହା ସହ ସରକାର ଯେଉଁ ୮୦୦ ଟଙ୍କା ସବସିଡି ବ୍ୟବସ୍ତା କରିଛନ୍ତି ତାହା ମଧ୍ୟ ସେମାନେ ପାଇବେ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ ।