-
ଓଡ଼ିଶା ନୌବାଣିଜ୍ୟର ଇତିହାସକୁ ଯୁବପିଢ଼ୀଙ୍କ ନିକଟରେ ପହଞ୍ଚାଇବାପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନନ୍ୟ ପ୍ରୟାସ
-
ସଂସ୍କୃତି କକ୍ଷରେ ଜମୁଛି ଲୋକଙ୍କ ଭିଡ଼, ଡିଜିଟାଲ୍ କୁଇଜ୍ ମାଧ୍ୟମରେ ଓଡ଼ିଶାର କାଳଜୟୀ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି ଦର୍ଶକ
-
ସଂସ୍କୃତି କକ୍ଷ ମାଧ୍ୟମରେ ଉତ୍କଳୀୟ ନୌବାଣିଜ୍ୟର ଗୌରବମୟ ଇତିହାସ ସମ୍ବନ୍ଧରେ ଜନସାଧାରଣ ଅବଗତ ହେବା ସହ ଏହା ଆମ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଲୋକଙ୍କ ମନରେ ଉଜ୍ଜୀବିତ କରି ରଖିବ ବୋଲି ମୋର ଆଶା ଓ ବିଶ୍ୱାସ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର : ଓଡ଼ିଶା ହେଉଛି ଏକ ସଂସ୍କୃତି ସମ୍ପନ୍ନ ରାଜ୍ୟ। ଓଡ଼ିଶାର ପର୍ବପର୍ବାଣୀ ଓ ଯାନିଯାତ୍ରା ଏଠାରେ ବସବାସ କରୁଥିବା ସମସ୍ତ ଲୋକମାନଙ୍କ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରା କାଳଜୟୀ ଏବଂ ଆମ ସାଧବପୁଅ ମାନଙ୍କ ସାତ ଦରିଆ ପାରିର ବାଣିଜ୍ୟ ସ୍ମୃତିକୁ ନେଇ ଆମେ ପାଳନ କରିଥାଉ ବୋଇତ ବନ୍ଦାଣ ଉତ୍ସବ ଓ ଆମ କଟକ ପ୍ରସିଦ୍ଧ ବାଲିଯାତ୍ରା।
ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶେଷ ଭାବରେ ଯୁବପିଢୀମାନଙ୍କୁ ଅବଗତ କରିବା ପାଇଁ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ ପ୍ରତିଷ୍ଠା କରାଯାଇଛି। ଏହି ସଂସ୍କୃତି କକ୍ଷକୁ “ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସମୂହ” ନାମରେ ନାମିତ କରାଯାଇଛି।
ସଂସ୍କୃତି କକ୍ଷରେ ଓଡ଼ିଶାର ସାଧବପୁଅମାନେ ବିଦେଶକୁ ବାଣିଜ୍ୟ ଓ ଉପନିବେଶ ସ୍ଥାପନ ନିମନ୍ତେ କରୁଥିବା ଯାତ୍ରା ତଥା ଓଡ଼ିଶାର କଳା ଓ ସଂସ୍କୃତିକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସଂସ୍କୃତି କକ୍ଷର କିଛି ବିଶେଷ ଦ୍ରଷ୍ଟବ୍ୟ ଗୁଡିକୁ ନିମ୍ନରେ ପ୍ରଦାନ କରାଗଲା।
ମାନଚିତ୍ର ମାଧ୍ୟମରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା
ପୁରାଣ କାଳରୁ ଲୋକମାନ୍ୟତା ରହିଛି ଯେ, ଆମ ସାଧବପୁଅମାନେ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ ଏବଂ ସେଠାରୁ ଯାହା ସବୁ ସାମଗ୍ରୀ ଆଣୁଥିଲେ ତାହା ଏଠାରେ କିଣାବିକା ହେଉଥିଲା। ସାଧବପୁଅଙ୍କ ଏହି ନୌବାଣିଜ୍ୟ ଯାତ୍ରାକୁ ଏହି ସଂସ୍କୃତି କକ୍ଷରେ ବିଭିନ୍ନ ମାନଚିତ୍ର ଓ ଡିଜିଟାଲ୍ ମାନଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏହା ସହିତ ଭାସ୍କୋଡ଼ାଗାମାଙ୍କ ଜଳପଥରେ ଭାରତକୁ ଆବିଷ୍କାର କରିବା ଠାରୁ ଆରମ୍ଭ କରି ଆଧୁନିକ ଯୁଗରେ ହେଉଥିବା ସମୁଦ୍ରୀୟ ବାଣିଜ୍ୟ ବ୍ୟାପାରକୁ ମଧ୍ୟ ଡିଜିଟାଲ୍ ମାନଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏଥିସହ ସେହି ସମୟରେ ରପ୍ତାନୀ ଏବଂ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା ମୂଲ୍ୟବାନ ପଥର, ମସଲା ଦ୍ରବ୍ୟ, ମସୃଣ ବସ୍ତ୍ର, ଅଳଙ୍କାର, ଔଷଧୀୟ ଦ୍ରବ୍ୟ, ତୁଳା, ଲାଖ ଆଦିକୁ ମଧ୍ୟ ସଂସ୍କୃତି କକ୍ଷରେ ସ୍ଥାନିତ କରାଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନ୍ୱେଷିତ ହୋଇଥିବା ନୌବାଣିଜ୍ୟ ସ୍ଥଳୀମାନଙ୍କର ଏକ ସାରଣୀ ମଧ୍ୟ ପ୍ରସ୍ତୁତ କରାଯାଇ ତାହାକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି।
ନୌବାଣିଜ୍ୟ ଦେବାଦେବୀ
ଓଡ଼ିଆ ସାଧବପୁଅ ଏବଂ ଧୀବର ମାନଙ୍କ ଦ୍ୱାରା ସଫଳ ନୌବାଣିଜ୍ୟ ନିମନ୍ତେ ବିଭିନ୍ନ ଦେବାଦେବୀ ଯଥା ମଙ୍ଗଳା, ବାସୁଳୀ ଠାକୁରାଣୀ, ଚଣ୍ଡୀ ଆଦିଙ୍କ ପୂଜାର୍ଚ୍ଚନା କରାଯାଉଥିଲା। ଏହା ଆମ ସଂସ୍କୃତି ଓ ପରମ୍ପରାର ଏକ ନିଚ୍ଛକ ପ୍ରଦର୍ଶନ। ଏହାକୁ ମଧ୍ୟ ସଂସ୍କୃତି କକ୍ଷରେ ସ୍ଥାନିତ କରାଯାଇଛି ଏବଂ ଏହା ମାଧ୍ୟମରେ ଦର୍ଶକମାନେ ନୌବାଣିଜ୍ୟରେ ଇତିହାସ ବିଷୟରେ ଜାଣିବା ସହ ଆମ ଓଡ଼ିଆ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି।
ଓଡ଼ିଶାର ଲୋକକଳା, ପର୍ବପର୍ବାଣୀ ଓ ଯାନିଯାତ୍ରା
ଲୋକକଳା, ପର୍ବପର୍ବାଣୀ, ଯାନିଯାତ୍ର ହେଉଛି ଆମ ସାଂସ୍କୃତିକ ଜୀବନ ସହ ଜଡିତ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଥିବା ଏହି ସଂସ୍କୃତି କକ୍ଷରେ ଓଡ଼ିଶାର ରାବଣ ଛାୟା- ଛାୟା କଣ୍ଡେଇ, କାଗଜ ମୁଖା, ପଶୁ ମୁଖା, କାଠ ମୁଖା, ବିଭିନ୍ନ ଯାନିଯାତ୍ରା ଯେପରି ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା, ପୁରୀର ସାହିଯାତ ଏବଂ ଜନଜାତି ସମ୍ପ୍ରଦାୟରେ ପାରମ୍ପାରିକ ବାଦ୍ୟଯନ୍ତ୍ର ଓ ଲୋକନୃତ୍ୟ ଆଦିକୁ ବିଭିନ୍ନ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ଯାହାକି ଉତ୍କଳୀୟ ସଂସ୍କୃତି ଓ ଗୌରବମୟ ପରମ୍ପରାର ପରିଚୟ ପ୍ରଦାନ କରୁଛି।
ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ସାଂସ୍କୃତିକ ବିନିମୟ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଥିବା ଏହି ସଂସ୍କୃତି କକ୍ଷରେ ଏଲଇଡ଼ି ସ୍କ୍ରିନ୍ ମାଧ୍ୟମରେ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସମୂହ ମଧ୍ୟରେ ଥିବା ସାଂସ୍କୃତିକ ବିନିମୟକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଓଡ଼ିଆ ସାଧବପୁଅମାନେ ବାଣିଜ୍ୟ କରିବାକୁ ଜାଭା, ସୁମାତ୍ରା, ଇଣ୍ଡୋନେସିଆ ଆଦି ସ୍ଥାନକୁ ଯାଉଥିଲେ ଏବଂ ଏହି ସାଂସ୍କୃତିକ ବିନିମୟର ଉଦାହରଣ ଆଜି ମଧ୍ୟ ଉଭୟ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସମୂହମାନଙ୍କରେ ପରିଲକ୍ଷିତ ହେଉଛି।
ଉଦାହରଣ ସ୍ୱରୂପ :
ଓଡ଼ିଶାର ମୃଦଙ୍ଗର ସ୍ୱର ଏବଂ ଶ୍ରୀଲଙ୍କାର ତୁରୀ, ଢୋଲ ଏବଂ ଦକ୍ଷିଣ କୋରିଆର ଚାଙ୍ଗୁ, ଓଡିଶା ଭଞ୍ଜନଗରର ପଶୁମୁଖା ନୃତ୍ୟ ଓ ବାଲିର ବାରୋଙ୍ଗ ନୃତ୍ୟ, ମୟୁରଭଞ୍ଜର ଛଉ ଓ ଇଣ୍ଡୋନେସିଆର ଗାବା-ଗାବା ନୃତ୍ୟ, ଓଡ଼ିଶାର ଧାରୁଆ ଜନଜାତିର ବିର୍ଲି ନୃତ୍ୟ ଏବଂ ଇଣ୍ଡୋନେସିଆର ଆଦିବାସୀ ନୃତ୍ୟ, ଆଦି ଉତ୍କଳ ଏବଂ ଦକ୍ଷିଣ-ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା ସାଂସ୍କୃତିକ ବିନିମୟର ପରିଚୟ ପ୍ରଦାନ କରୁଛି।
ସଂସ୍କୃତି ବିଭାଗ ପକ୍ଷରୁ ଏଲଇଡ଼ି ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ଏହି ଚିତ୍ର ସମସ୍ତଙ୍କ ପାଇଁ ଏକ ଶୈକ୍ଷିକ ବିଷୟ ବସ୍ତୁ ଭଳି କାର୍ଯ୍ୟ କରିବା ସହ, ଏହା ସବୁ ଦର୍ଶକ ମାନଙ୍କର ଖୁବ ପ୍ରଶଂସା ସାଉଁଟି ଥିବାର ସୂଚନା ମିଳିଛି।
ଡିଜିଟାଲ କୁଇଜ୍
ବିଭାଗ ପକ୍ଷରୁ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଉପରେ ଆଧାରିତ ଏକ ଡିଜିଟାଲ କୁଇଜ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହା ଦ୍ୱାରା ଦର୍ଶକମାନେ ପ୍ରଶ୍ନୋତ୍ତର ମାଧ୍ୟମରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଉପରେ ଅବଗତ ହୋଇପାରୁଛନ୍ତି। ଏହା ଦର୍ଶକ ମାନଙ୍କ ମଧ୍ୟରେ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ଜାଣିବା ପାଇଁ ଆଗ୍ରହ ସୃଷ୍ଟି କରିପାରିଛି।
ଏତତ୍ ବ୍ୟତୀତ ଏଥର ବାଲିଯାତ୍ରାରେ ବିଭିନ୍ନ ଅନ୍ତର୍ଜାତୀୟ ସାଂସ୍କୃତିକ ଦଳ ଯଥା ଇଣ୍ଡୋନେସିଆ, ଥାଇଲାଣ୍ଡ, ନେପାଳ, ଭୁଟାନ, ଶ୍ରୀଲଙ୍କା,ସ୍ଲୋଭାକିଆ, ବାଲି ଇଣ୍ଡୋନେସିଆ ଆଦିରୁ ଆସିଥିବା ସାଂସ୍କୃତିକ ଦଳ ବାଲିଯାତ୍ରା ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଛନ୍ତି ଯାହାକି ଦର୍ଶକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛି।
ସଂସ୍କୃତି ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ବୋଇତ ବନ୍ଦାଣ ଉତ୍ସବ ଓ ବାଲିଯାତ୍ରା ହେଉଛି ଓଡ଼ିଶାର ଗୌରବମୟ ଇତିହାସ ଓ ଓଡ଼ିଆ ପରମ୍ପରାର ପ୍ରତୀକ। ବାଲିଯାତ୍ରା ପଡିଆରେ ସଂସ୍କୃତି ବିଭାଗ ପକ୍ଷରୁ ହୋଇଥିବା ଏହି ସଂସ୍କୃତି କକ୍ଷ ମାଧ୍ୟମରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ଜନସାଧାରଣ ଅବଗତ ହୋଇପାରୁଛନ୍ତି। ଏହା ସହିତ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ମଧ୍ୟ ସଂସ୍କୃତି କକ୍ଷରେ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ବାଲିଯାତ୍ରାରେ ଏଥର ବିଭିନ୍ନ ଅନ୍ତର୍ଜାତୀୟ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ନିର୍ମିତ ହୋଇଥିବା ସଂସ୍କୃତି କକ୍ଷ ଆମ ଓଡ଼ିଆ ସଂସ୍କୃତିକୁ ଲୋକଙ୍କ ମନରେ ଉଜ୍ଜୀବିତ କରି ରଖିବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।