-
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା
– ଗଣମାଧ୍ୟମକୁ ନ ଭେଟିବାକୁ ସର୍ତ
– ନଜର ରଖିବେ ଥାନା ଅଧିକାରୀ
ବଲାଙ୍ଗୀର- ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଅନ୍ତରୀଣ ଜାମିନ୍ ମିଳିଛି । ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ପୁଞ୍ଜିଲାଲଙ୍କୁ ହାଇକୋର୍ଟ ୪ଦିନ ପାଇଁ ସର୍ତମୂଳକ ଅନ୍ତରୀଣ ଜାମିନ୍ ଦେଇଛନ୍ତି । ୨୪ ତାରିଖରେ ପୁଞ୍ଜିଲାଲ ଜାମିନ୍ ରେ ଯାଇ ୨୮ ତାରିଖ ଦିନ ୧୧ଟା ମଧ୍ୟରେ ପୁଣିଥରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ତେବେ ପୁଞ୍ଜିଲାଲଙ୍କୁ ମିଳିଥିବା ଏହି ୪ଦିନର ଜାମିନ୍ ରେ କେତୋଟି କଡ଼ା ସର୍ତ ରଖା ଯାଇଛି । ଜାମିନ୍ ସମୟରେ ପୁଞ୍ଜିଲାଲ କୌଣସି ଗଣମାଧ୍ୟକୁ ଭେଟି ପାରିବେ ନାହିଁ । ଏହି ସହିତ ବାହାରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ଥାନୀୟ ଥାନାଅଧିକାରୀଙ୍କୁ ସେ ଜଣାଇ ଯିବେ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ସ୍ଥାନୀୟ ଥାନା ଅଧିକାରୀଙ୍କୁ ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ହୋଇଥିଲା । ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ତାଙ୍କୁ ଗୋଟିଏ ଦିନ ପାରୋଲରେ ଅଣାଯାଇଥିଲା । ପୋଲିସ୍ ସୁରକ୍ଷା ମଧ୍ୟରେ ସେ ମୁଖାଗ୍ନି ଦେଇଥିଲେ ।୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ନବ ଦମ୍ପତି ସୌମ୍ୟଶେଖର ଓ ରିମାଙ୍କ ବାହାଘରରେ ମିଳିଥିବା ଗିଫ୍ଟରେ ଥିବା ବୋମା ବିସ୍ଫୋରଣ ହେବାରୁ ନବ ବିବାହିତ ସୌମ୍ୟ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ମୃତ୍ୟୁ ଘଟିଥିଲା । ତେବେ ରିମା ସୌଭାଗ୍ୟବସତଃ ବଂଚି ଯାଇଥିଲେ ।