-
ସମ୍ବଲପୁରରେ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ବଢାଇବା ପାଇଁ ଯୋଜନା ହେଉ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର,ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜିକରଣ କରାଇବା ପାଇଁ ସମ୍ବଲପୁର ଜିଲ୍ଲାର ଶ୍ରମଜୀବୀ ମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋମବାର ସମ୍ବଲପୁରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ଅଧୀନରେ ହିତାଧିକାରୀଙ୍କୁ ସହାୟତା ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରମିକ ହିତାଧିକାରୀମାନଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତିକାଳୀନ, ସ୍ୱାଭାବିକ ମୃତ୍ୟୁ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ରାଶି ବାବାଦକୁ ପ୍ରାୟ ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ୨୦୦ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ବିଓସି-ଆଇ କାର୍ଡ୍ ବିତରଣ କରାଯାଇଛି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ସମ୍ବଲପୁର ଜିଲ୍ଲାର ପ୍ରାୟ ୩୧୨ ଜଣ ଶ୍ରମିକ ହିତାଧିକାରୀ ଲାଭବାନ ହେବେ ।
ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁସାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନରେ ନିର୍ମାଣ ସମସ୍ତ ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଶାରୀରିକ ଶ୍ରମ କରୁଥିବା ଶ୍ରମିକ, ପର୍ଯ୍ୟବେକ୍ଷଣ କାର୍ଯ୍ୟ ନିଯୁକ୍ତ କର୍ମଚାରୀ ନିର୍ମାଣ ଶ୍ରମିକ ଅନ୍ତର୍ଭୃକ୍ତ ଅଟନ୍ତି । ରାଜ୍ୟରେ ପଞ୍ଜିକୃତ ଏହି ନିର୍ମାଣ ଶ୍ରମିକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିକ୍ଷାବୃତ୍ତି ସହାୟତା ପାଇଁ ୨୦ ହଜାରରୁ ୪୦ ହଜାର ଟଙ୍କା, ବିବାହ ସହାୟତା ୫୦ ହଜାର ଟଙ୍କା, ପ୍ରସୂତିକାଳୀନ ସହାୟତା ୧୦ ହଜାର ଟଙ୍କା, ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତା ୩ ଲକ୍ଷ ଟଙ୍କା, ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୬ ଲକ୍ଷ ଟଙ୍କା ଏବଂ ଅନ୍ତ୍ୟୋଷ୍ଟିକ୍ରିୟା ସହାୟତା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି । ତେବେ ସମ୍ବଲପୁରରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ପ୍ରାୟ ୬୨ ହଜାର ଅଛି । ସମ୍ବଲପୁରରେ ନିର୍ମାଣ ଓ ଶିଳ୍ପ ଭିତ୍ତିଭୂମିକୁ ଦେଖିଲେ ଏହି ସଂଖ୍ୟା ଆନୁମାନିକ ୩ ଲକ୍ଷ ହେବା ଦରକାର । ତେବେ ନିର୍ମାଣ ଶ୍ରମିକ ଭାଇ ଭଉଣୀମାନଙ୍କ ସଂଖ୍ୟା ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନାର ସହଯୋଗରେ ସବୁଠି ସ୍ୱତନ୍ତ୍ର ଶିବିର ଆୟୋଜନ ପାଇଁ ଯୋଜନା କରିବାକୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସବକା ସାଥ୍- ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ କାମ କରୁଥିବା ମୋଦୀ ସରକାର ଶ୍ରମିକଙ୍କ ସାମାଜିକ ସୁରକ୍ଷା, ସେମାନଙ୍କ ସମ୍ମାନ ବଢାଇବା ସହ କଲ୍ୟାଣକାରୀ ଯୋଜନା କରିବା ପାଇଁ କଟିବଦ୍ଧ । ଆଜିର ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ବଲପୁର ଜିଲ୍ଲା ଶ୍ରମ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।