ନୂଆଦିଲ୍ଲୀ/ଭୁବନେଶ୍ୱର :ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ଆଜି ଥିଲା ଚତୁର୍ଥ ଦିବସ । ଏହି ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି । ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ଓ ଦର୍ଶକମାନେ ଏହାର କାରୁକାର୍ଯ୍ୟ ଓ କଳା କାରିଗରୀକୁ ପ୍ରଶଂସା କରୁଛନ୍ତି ।
ଆଜି କେରଳ ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଦେଭେନ୍ଦ୍ର କୁମାର ଧୋଡ଼ାୱତ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସି ଏଠାରେ ପ୍ରଦର୍ଶିତ ରାଜ୍ୟର ବିଭିନ୍ନ ବିକାଶମୂଳକ ଚିତ୍ରକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ସେହିପରି, ଗତ ୧୪ ତାରିଖରେ ଅନୁଷ୍ଠିତ ଉଦଘାଟନୀ ଦିବସରେ ତ୍ରିପୁରାର ଶିଳ୍ପ, ବାଣିଜ୍ୟ, ଜେଲ୍ (ଗୃହ) ଏବଂ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ସାନ୍ତାନା ଚକମା, ଅରୁଣାଚଳ ପ୍ରଦେଶର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନ୍ୟାଟୋ ଡୁକମ ଓଡ଼ିଶା ମଣ୍ଡପକୁ ଆସିଥିବା ବେଳେ ପରବର୍ତ୍ତୀ ଦିନରେ ନୂଆଦିଲ୍ଲୀରେ ଅବସ୍ଥାପିତ ପଶ୍ଚିମବଙ୍ଗର ଆବାସିକ ଆୟୁକ୍ତ ଶ୍ରୀମତୀ ଉଜ୍ଜୟିନୀ ଦତ୍ତ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଛନ୍ତି ।
ଚଳିତବର୍ଷ ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୫ଟି ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଛି । ଏଥିରେ ଓଡ଼ିଶାର ଅନନ୍ୟ କଳା କାରିଗରୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି କଳାକୃତି ସ୍ଥାନ ପାଇଛି । ସେହିପରି ଓଡ଼ିଶାର ସ୍ୱତନ୍ତ୍ର ହସ୍ତତନ୍ତ ବସ୍ତ୍ର କିଣିବାକୁ ଲୋକଙ୍କର ଭିଡ଼ ଜମୁଛି ।
ବାଣିଜ୍ୟ ମେଳାରେ ଓଡ଼ିଶାର ବିଭିନ୍ନ ଗ୍ରାମୀଣ ଉତ୍ପାଦ ଏବଂ ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷର ବେଶ୍ ଚାହିଦା ରହିଛି । ଶ୍ରୀଅନ୍ନରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଓ କନ୍ଧମାଳର ମସଲା ଜାତୀୟ ଜୈବିକ ଉତ୍ପାଦ ସହ ତାଳଗୁଡ଼, ନାଲି ଚୁଡ଼ା, କଳାଜିରା ଚାଉଳ ଏବଂ ବ୍ରହ୍ମପୁର ଆଚାର ଆଦି ଓଡ଼ିଶା ମଣ୍ଡପକୁ ଆସୁଥିବା ଲୋକଙ୍କ ପାଇଁ ଆକର୍ଷଣ ସାଜିଛି ।
‘ଓଡ଼ିଶା ମଣ୍ଡପ’ର ଆଉ ଏକ ଆକର୍ଷଣ ହେଉଛି ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ୍ ଡେମନଷ୍ଟ୍ରେସନ । ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ରୁପା ତାରକସି ଓ ସବାଇ ଘାସରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି । ସେହିପରି ଅହିଂସା ଉପାୟରେ ପ୍ରସ୍ତୁତ ‘କରୁଣା ସିଲ୍କ’ ଦେଶ ବିଦେଶର ଲୋକଙ୍କୁ ଆକର୍ଷିତ କରୁଛି ।
ଭାରତ ମଣ୍ଡପମ୍ ପରିସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଓଡ଼ିଶାର ଅନନ୍ୟ ରସଗୋଲା, ଦହିବରା, ଛେନାଝିଲ୍ଲି ଓ ଛନାପୋଡ଼ ଲୋକଙ୍କୁ ବେଶ ପସନ୍ଦ ହେଉଛି ।
‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମକୁ ନେଇ ପ୍ରସ୍ତୁତ ‘ଓଡ଼ିଶା ମଣ୍ଡପ’ ଡିଜାଇନରେ ସଂସ୍କୃତି ଓ ପ୍ରଯୁକ୍ତିର ଚମତ୍କାର ସମନ୍ୱୟ ରହିଛି । ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହେଉଛି । ଯଥାକ୍ରମେ ପ୍ରବେଶ ଓ ପ୍ରସ୍ଥାନ ପଥରେ ନିର୍ମିତ ଭାସ୍କର୍ଯ୍ୟ ବିମନ୍ଦିତ ମୁକ୍ତେଶ୍ୱର ମନ୍ଦିର ଏବଂ ରତ୍ନଗିରର ତୋରଣ ସମେତ ମଧ୍ୟଭାଗରେ ନିର୍ମିତ ବିଶ୍ଵପ୍ରସିଦ୍ଧ କୋଣାର୍କ ମନ୍ଦିରର ପ୍ରତିକୃତି ଦର୍ଶକମାନଙ୍କୁ ଆକର୍ଷିତ କରୁଛି ।
ଆଜି ସୁଦ୍ଧା ‘ଓଡ଼ିଶା ମଣ୍ଡପ’କୁ ୪୩ ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଆସିଥିବା ବେଳେ, ୧୪ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହେଲାଣି ବୋଲି ପାଭିଲିଅନ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନିର୍ବାହ କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ଅଶ୍ଵିନୀ କୁମାର ଭୋଇ ସୂଚନା ଦେଇଛନ୍ତି । ଆଗନ୍ତୁକ ଅତିଥି, ଦର୍ଶକ ଏବଂ ଷ୍ଟଲଧାରୀମାନଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଉଛି ।