ସମ୍ବଲପୁର– ଓଡିଶାର ଔଦ୍ୟୋଗିକ ଓ ଖଣିଅଂଚଳ, ଯେଉଁମାନଙ୍କ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ସାମିଲ ଅଛି ସେଠାକାର ଓଭରଲୋଡ ଟ୍ରକ୍ ମାନଙ୍କ ସମସ୍ୟା ଲଗାତାର ବୃଦ୍ଧି ପାଉଛି । ଏହି ଟ୍ରକ୍ କେବଳ ରାସ୍ତାକୁ ନଷ୍ଟ କରୁନାହିଁ ବରଂ ସାର୍ବଜନୀନ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇ ଦେଉଛି । ବିଶେଷ କରି ଛତିଶଗଡ଼ ଦିଗରେ ଯାଉଥିବା ଏହି ଓଭରଲୋଡ ଟ୍ରକ ଗୁଡିକ ଦ୍ୱାରା ଦୁର୍ଘଟଣା ବଢୁଥିବା ସହ ସଡ଼କର ମଧ୍ୟ କ୍ଷତି ଦିନକୁ ଦିନ ବଢ଼ି ଚାଲିଛି । ଏହି ଯାଂଚ୍ ସମୟରେ ଜଣାପଡ଼ିଛି ଯେ, ଅନେକ ପ୍ରମୁଖ କମ୍ପାନୀର ଟ୍ରକ୍ ନିୟମିତ ଭାବରେ ଓଭରଲୋଡ କରିବାରେ ଜଡିତ ଅଛନ୍ତି । ଏହାର ଫଳରେ ସଂପୂର୍ଣ୍ଣ ଅଂଚଳର ସଡ଼କର ଅବସ୍ଥା ଦିନକୁ ଦିନ ଖରାପ ହୋଇଯାଉଛି । ଯାହା ସ୍ଥାନୀୟ ଅଂଚଳବାସୀ ଓ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରଭାବିତ କରୁଛି । ଭ୍ରଷ୍ଟାଚାର ଓ ମିଳିଭଗତର ଅଭିଯୋଗ ଏକ ବିଶ୍ୱସ୍ତ ସୂତ୍ରଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଆର.ଟି.ଓ. (କ୍ଷେତ୍ରୀୟ ପରିବହନ କାର୍ଯ୍ୟାଳୟ) ଓ ଏମ.ଭି.ଆଇ. (ମୋଟର ଭେହିକଲ୍ ନିରୀକ୍ଷକ) କର୍ମଚାରୀମାନଙ୍କୁ କିଛି ଟ୍ରକ୍ ମାଲିକଙ୍କ ଠାରୁ ଲାଂଚ ନେଇ ଓଭରଲୋଡିଂକୁ ଅନୁମତି ଦେଉଥିବା ଅଭିଯୋଗ ହୋଇଛି । ଛତିଶଗଡ଼ରୁ ଆସୁଥିବା ଟ୍ରକ ମଧ୍ୟ ଏଥିରେ ଥିବା ଅଭିଯୋଗ ହୋଇଛି । ଯାହାକି ସମସ୍ୟାକୁ ଅଧିକ ଜଟିଳ କରୁଛି । ସାଧାରଣ ଲୋକମାନେ ଅଭିଯୋଗ କରୁଛନ୍ତି ଯେ ଭ୍ରଷ୍ଟ ଅଧିକାରୀ ଓ ଟ୍ରକ୍ ଅପରେଟରମାନଙ୍କର ମିଳିଭଗତ କାରଣରୁ ଏହି ସମସ୍ୟା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରଛି । ଏହି ସମସ୍ୟା ବଢୁଥିବା ଯୋଗୁଁ ପଶ୍ଚିମ ଓଡିଶାବାସୀ ପରିବହନ ବିଭାଗ, ପୋଲିସ ଓ ସମ୍ପୃକ୍ତ ବିଭାଗକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଏପରିକି ଓଭରଲୋଡିଂ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ଏଥିରେ ଜଡିତ ସମସ୍ତ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଯଦି ଏହାର ତ୍ୱରିତ କାର୍ଯ୍ୟବାହୀ ପଦକ୍ଷେପ ଗ୍ରହଣ କରାନଯାଏ ତେବେ କେବଳ ରାଜ୍ୟର ସମୃଦ୍ଧି ଗଠନରେ ଭୟଙ୍କର କ୍ଷତି ହେବ ନାହିଁ ବରଂ ଅନ୍ୟପକ୍ଷରେ ସରକାରୀ ସ୍ୱାଧୀନତା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।ଏହି ଓଭରଲୋଡିଂ ସମସ୍ୟାର ସମାଧାନ ନହେଲେ ରାସ୍ତା ଖରାପ ହେବା ସାଙ୍ଗକୁ ଜନଜୀବନ ମଧ୍ୟ ନଷ୍ଟ ହେବାର ବହୁମାତ୍ରାରେ ଆଶଙ୍କା ରହିଛି । ଏହି ବିଷୟରେ ଜଣାପଡିବା ପରେ ସମ୍ବଲପୁର ଆର.ଟି.ଓ. ଏହି ଶିଳ୍ପଗୁଡ଼ିକୁ ପତ୍ର ଲେଖି ଓଭରଲୋଡିଂ ଟ୍ରକ୍ ଯାନକୁ ବନ୍ଦ କରିବା ଓ ସାମଗ୍ରୀ ପଠାଇବା ବନ୍ଦ କରିବାକୁ ସମ୍ପୃକ୍ତ କମ୍ପାନୀ ମାନଙ୍କୁ ପୂର୍ବରୁ ଚିଠି ଲେଖି ତାଗିଦ୍ କରିଛନ୍ତି । କିନ୍ତୁ ଏହି କମ୍ପାନୀ ମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଓଲଟା ସମ୍ବଲପୁରର ମୋତିଝରଣ, ସୁନାପାଲି, ଗୋଡ଼ଭାଗା, ବରଗଡ଼ର କିଛି ଟ୍ରକ୍ ମାଲିକଙ୍କ ସହିତ ରାୟପୁର ଓ ସରେଇପାଲି ଅଂଚଳର କେତେକ ଟ୍ରକ ମାଲିକ ନିଜର ଜୋର ଜବରଦସ୍ତି ଟ୍ରକ୍ ପରିବହନ କରୁଥିବା ଅଭିଯୋଗକୁ ଆଧାର କରି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।