ସମ୍ବଲପୁର– ଭାରତୀ ସମାଜ ଅନ୍ତଃରାଷ୍ଟ୍ରୀୟ ସଂଗଠନ ପକ୍ଷରୁ ସମ୍ବଲପୁରରେ ଦୁଇଦିନିଆ ବିଶ୍ଵ ଭାରତୀ ସମାବେଶ ଆରମ୍ଭ ହୋଇଛି। ଭାରତୀ ସମାଜର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା ଏବଂ ପ୍ରବୀନ ଶର୍ମା ସମ୍ବଲପୁର ପହଞ୍ଚିବା ପରେ ରାଜ୍ୟ ସଂଯୋଜକ ଡଃ. ସ୍ବୟଂ ପ୍ରକାଶ ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ। ଦିନବେଳା ହୀରାକୁଦ ବନ୍ଧ, ସମଲେଇ ମନ୍ଦିର, ଆଇଆଇଏମ୍ ଆଦି ବୁଲି ଦେଖିଥିଲେ। ଏହାପରେ ସଂନ୍ଧ୍ୟାରେ ଭିଏସ ଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଭାରତୀ ସମାଜ ସଂଗଠନର ସଦସ୍ୟ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଦେଶରେ ରହୁଥିବା ଭାରତୀ ବ଼ଂଶଧର ମାନଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ ୨୦୦୧ ମସିହାରେ ଭାରତୀ ସମାଜ ପ୍ରତିଷ୍ଠା କରାଯିବାର ୨୪ ବର୍ଷପରେ ସମ୍ବଲପୁରରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶ୍ଵ ଭାରତୀ ସମାବେଶ ଆୟୋଜନ କରାଯାଇଛି। ଏଥିସହ ସମ୍ବଲପୁରର ଅନାଲୋଚିତ ଦ୍ବିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କର ଜନ୍ମସ୍ଥାନ ସମ୍ବଲପୁର ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ଚେଷ୍ଟା କରାଯିବ । ସମ୍ବଲପୁର ସହରକୁ ଭାରତୀ ଲୋକ ମାନଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ କେନ୍ଦ୍ର ଭାବରେ ବିକଶିତ କରିବା ଦିଗରେ ଭାରତୀ ସମାଜ ଆଗକୁ ବହୁ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଆଜିର ବୈଠକରେ ଭାରତୀ ସମାଜର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା ସୂଚନା ଦେଇଛନ୍ତି। ଏହାସହ ଭାରତୀ ସଂସ୍କୃତିକୁ ବିଶ୍ୱ ଦରବାରରେ ଉପସ୍ଥାପିତ ସହ ଲୋକପ୍ରିୟ କରିବା ଦିଗରେ ଭାରତୀ ସମାଜ ବିଭିନ୍ନ ଦେଶରେ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା ସୂଚନା ଦେଇଥିଲେ। ଆସନ୍ତା କାଲି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବିଶ୍ଵ ଭାରତୀ ସମାବେଶର ଆଲୋଚନାଚକ୍ରରେ ଆମେରିକା କାଲିଫର୍ଣ୍ଣିଆରୁ ଆସିଥିବା ଭାରତୀ ସମାଜର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା, ୟୂଏଇ ରାଷ୍ଟ୍ରୀୟ ସଂଯୋଜକ ନିପନ ଭୋଇ ଭୁବନେଶ୍ବରର ବୋୖଦ୍ଧ ଗବେଷକ ପ୍ରବୀର ପଟ୍ଟନାୟକ, ବୋୖଦ୍ଧରୁ ଡଃ. ଅନୀତା ସାବତ, ସମ୍ବଲପୁରରୁ ଦୀପକ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବହୁ ଅନାଲୋଚିତ ତଥ୍ୟ ସମ୍ପର୍କରେ ସୂଚନା ଦେବେ। ଏହି କାର୍ଯ୍ୟକ୍ରମକୁ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅତୁଳ କୁମାର ପ୍ରଧାନ ସଂଯୋଜନା କରିବେ।
ଆଜିର ବୈଠକରେ ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ, ମହାସଚିବ ଦେବୀପ୍ରସାଦ ଭୋଇ, ଜିଲ୍ଲା ସଂଯୋଜକ କିଶୋର ଧରେଇ, ରାଜେଶ ସ୍ବାଇଁ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।