ଭୁବନେଶ୍ବର, ରାଜ୍ୟସ୍ତରୀୟ କଳା ଉତ୍ସବ 2024 ୟୁନିଟ-6 ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ଗୋଟିଏ କଳାଭୂମି ଏବଂ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ଏଥିସହ 17 ଟି ଜିଲ୍ଲାରୁ ଭାଗ ନେଇଥିବା ପ୍ରତିଯୋଗୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ନିର୍ଦ୍ଦେଶକ (ଗୁଣବତ୍ତା) ଡ଼ ସନାତନ ପଣ୍ଡା, ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଶ୍ରୀମତୀ ସଙ୍ଗୀତା ବେହେରା, ଓସେପା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସହ ନିର୍ଦ୍ଦେଶକ ଶ୍ରୀ ଚନ୍ଦନ ରଥ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଭଗବାନ ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । କଳା ଉତ୍ସବରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ନିରନ୍ତର ପ୍ରଚେଷ୍ଟା ପାଇଁ ପ୍ରଶଂସା କରିଥିଲେ । ଏହି ଅବସରରେ କଣ୍ଠ ସଙ୍ଗୀତରେ କେନ୍ଦୁଝର ସୁଆଁପଦାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ, ଯନ୍ତ୍ର ସଙ୍ଗୀତରେ ବଲାଙ୍ଗୀର ଲୁହାସିଙ୍ଗାସ୍ଥିତ ଏସ.ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅମିତ ସିନ୍ଦ୍ରିଆ ଓ ଗ୍ରୁପ୍, ଡ୍ରାମା ବିଭାଗରେ କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ସୌମ୍ୟ ରଞ୍ଜନ ସେଠି ଓ ଗ୍ରୁପ୍, ନୃତ୍ୟ ବିଭାଗରେ ନବରଙ୍ଗପୁର ଜିଲ୍ଲା ନୋଡାଲ୍ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସୌମ୍ୟାରାଣୀ ଭକ୍ତା ଓ ଗ୍ରୁପ୍, ପାରମ୍ପରିକ ଗଳ୍ପ କଥନରେ କଟକ ସିଡିଏ ଡିଏଭି ପବ୍ଲିକ ସ୍କୁଲର ସତ୍ୟାନୀ ପଟ୍ଟନାୟକ ଓ ଆରତ୍ରିକା ପ୍ରହରାଜ, ଭିଜୁଆଲ୍ ଆର୍ଟରେ ସମ୍ବଲପୁର ସରକାରୀ ମହିଳା କଲେଜର ଖୁସି ସାହା ପ୍ରଥମ ସ୍ଥାନ ଅଧିକାର କରି ଜାତୀୟସ୍ତରକୁ ଉନ୍ନୀତ ହୋଇଛନ୍ତି ।