

କନ୍ଧମାଳ- ବର୍ଷେ କି ଦିବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ହେଲାଣି ଅଙ୍ଗନବାଡି କେନ୍ଦ୍ର ଖୋଲିଥିଲେ ମଧ୍ୟ ଏଯାଏଁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇନଥିବା ଫଳରେ କୁନି କୁନି ପିଲାଙ୍କ ପାଠପଢା କେତେବେଳେ ଗଛମୂଳେ ତ ଆଉ କେତେବେଳେ କାହା ବାରଣ୍ଡାରେ ପାଠପଢା ହେଉଛି । ପିଲାମାନେ ଖାଉଛନ୍ତି ଗାଁ ରାସ୍ତା ମଝିରେ । ଅଭିଯୋଗ କଲେ ଶୁଣୁଣି ବା କିଏ? ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ମାଓ ଅଧ୍ୟୁଷିତ ଶ୍ରୀରାମପୁର ପଂଚାୟତର ପାଡୁଗୁଡା ଗାଁରେ ।
ଗ୍ରାମାଂଚଳର ଶିଶୁମାନଙ୍କ ଶାରିରୀକ ଓ ବୌଦ୍ଧିକ ବିକାଶ ସହ ଶିକ୍ଷା ଦେବାଲାଗି ଗାଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ମାନ ଖୋଲିଛନ୍ତି ସହ ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏସବୁ ଅଙ୍ଗନବାଡି କେନ୍ଦ୍ର କିଭଳି ଚାଲିଛି ତାହା ପାଡୁଗୁଡା ଅଙ୍ଗନବାଡି କେନ୍ଦ୍ରକୁ ଦେଖିଲେ ଜାଣିହେବ । ପ୍ରାୟ ୩୦ ଜଣ ଶିଶୁ ଏହି ଅଙ୍ଗନବାଡି କେନ୍ଦ୍ରରେ ଅଛନ୍ତି । ପ୍ରତିଦିନ ସେମାନେ ଏଭଳି ରାସ୍ତାରେ ବସି ପାଠ ପଢୁଛନ୍ତି । ରାସ୍ତାରେ ହିଁ ଭୋଜନ କରୁଛନ୍ତି । ବର୍ଷାଦିନ ହେଲେ କଥା ସରିଲା । ୟା, ତା ପିଣ୍ଡାରେ ବସ ବହୁକଷ୍ଟରେ ପାଠ ପଢୁଛନ୍ତି । ବର୍ଷେ କି ଦିବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ହେଲା ପାଡୁଗୁଡା ଅଙ୍ଗନବାଡି କେନ୍ଦ୍ର ଏଭଳି ଅବସ୍ଥାରେ ଚାଲିଛି । ଏନେଇ ଗ୍ରାମବାସୀ ଓ ଅଙ୍ଗନବାଡି ଦିଦି ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା କହିଛନ୍ତି ।
ସେହିପରି ବାଲିଗୁଡା ବ୍ଲକର ରେବିଙ୍ଗିଆରେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନଥିବା ଫଳରେ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟକେନ୍ଦ୍ରରେ, ସ୍ୱାସ୍ଥ୍ୟକର୍ମୀଙ୍କ ଘରେ ଚାଲିଛି କେନ୍ଦ୍ର । ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କିଏ ନାହିଁ । କେବଳ, ଏହି ଗୋଟିଏ ଅଙ୍ଗନବାଡି କେନ୍ଦ୍ର ନୁହେଁ ଜିଲ୍ଲାରେ ଏଭଳି ଅନେକ ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ଠିକ୍ ଏଭଳି । ଜିଲ୍ଲାରେ ୧୬୫୫ ଟି ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କେନ୍ଦ୍ର ରହିଛି ସେଥିମଧ୍ୟରୁ ୧୫୦୩ ଟି କେନ୍ଦ୍ରର ନିଜସ୍ୱ ଘର ଥିବାବେଳେ ୧୫୨ଟିର କାମ ଚାଲିଛି ଯେ ସରିବାକୁ ନାହିଁ । ଏଭଳି ସ୍ଥଳେ ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି କନ୍ଧମାଳରେ ଚାଲିଛି ଶିଶୁ ବିକାଶ ଯୋଜନା ।