ଭଦ୍ରକ – ଭଦ୍ରକ ଓ କେନ୍ଦୁଝର ଜିଲାର ସଂଯୋଗକାରୀ ରାସ୍ତା ଭାବେ ପରିଚିତ ପଧାନପଡା ଭାୟା ଓଳମ-ଡଅଁର ଗ୍ରାମ୍ୟ ଉନ୍ନୟନ ରାସ୍ତାର ସରଳାଛକ ନିକଟରୁ ଓଳମ ପୋଲ ପର୍ଯ୍ୟନ୍ତ ରାସ୍ତାର ଦୁର୍ଦ୍ଦଶା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଦୁଇଟି ଜିଲାର ବନ୍ତ ବ୍ଲକ୍ର ପଧାନପଡା ଓ ହାଟିଡିହି ବ୍ଲକ୍ର ଡଅଁର ପଂଚାୟତ ଦେଇ ବିକେବିଏମ୍ ରାସ୍ତାର ଶାଳଣିଆ-ମଂଜୁରୀରୋଡ୍ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଗୁରୁତ୍ୱ ଗମନାଗମନା ଦୃଷ୍ଟିରୁ ଯଥେଷ୍ଟ ଅଧିକ । ଏହି ଦୁଇଟି ଜିଲାର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ଶହ ଶହ ସାଇକେଲ୍ ଟ୍ରଲି ରିକ୍ସା ଠାରୁ ଆରମ୍ଭ କରି ଦୁଇଚକିଆ ବାଇକ୍, ଅଟୋ, କାର୍, ବୋଲେରୋ, ପିକ୍ଅପ୍, ମିନି ଟ୍ରକ୍, ଟ୍ରାକ୍ଟର, ଧାନ ଓ ବାଲି ବୋଝେଇ ବଡ ବଡ ଟ୍ରକ୍ ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ଯାତାୟତ କରିଥାଏ ଧାନକଟା ସମୟରେ ହାର୍ଭେଷ୍ଟିଙ୍ଗ୍ ମେସିନ୍, କପ୍ଲିନ୍ ଭଳି ଭାରିଯାନ ସହ ବହୁ ସମୟରେ ଆମ୍ବୁଲାନ୍ସ ଓ ଦମକଳ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାଏ । ଏଭଳି ଏକ ବ୍ୟସ୍ତ ବହୁଳ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ବର୍ଷସାରା ଏହି ରାସ୍ତାଟିରେ ମରାମତି ନାମରେ କିଛି କିଛି ଅଂଶ ତାଳିପକା କାର୍ଯ୍ୟ ହେଉଥିଲେ ହେଁ ସଂପୂର୍ଣ୍ଣ ଭାବେ ନିର୍ମାଣ ହେଉନାହିଁ । ନିମ୍ନମାନର କାର୍ଯ୍ୟ ହିଁ ଏହି ରାସ୍ତାଟିର ଦୂରାବସ୍ଥାର ମୁଖ୍ୟ କାରଣ ହୋଇଥିବାବେଳେ ମରାମତି ସମୟରେ ଏହାର ମାନ ସଂପର୍କରେ ବିଭାଗୀୟ ତଦାରଖର ଅଭାବ ଏହାର ଏଭଳି ଅବସ୍ଥା ପ୍ରତି ଦାୟୀ ବୋଲି ସ୍ଥାନୀୟ ଲୋକେ କହନ୍ତି । ଦୀର୍ଘ କିଛି ମାସ ହେବ ପ୍ରାୟ ୨ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାର ବିଭିନ୍ନ ଅଂଶରେ ବଡ ବଡ ଖାଲ ସୃଷ୍ଟି ହେବା ଫଳରେ ଯାନବାହନ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି । ରାସ୍ତାଟିର ଓସାରର ସଂକୀର୍ଣ୍ଣତା ଦୃଷ୍ଟିରୁ ଦୁଇଟି ଗାଡି ବିପରୀତ ଦିଗରୁ ଅତିକ୍ରମ କରିବା କଷ୍ଟକର । ଅନୁରୂପ ଓଳମ ବ୍ରିଜ୍ ଯାହା ଉଭୟ ଜିଲାର ସୀମା ସରହଦରେ ନିର୍ମିତ ପ୍ରାୟ ୧୫୦ ମିଟରର ଏହି ଅଳ୍ପ ଚଉଦା ସଂପର୍ଣ୍ଣ ପୋଲଟିର ଦୁଇପାଶ୍ୱର୍ରେ ବାଡ ନଥିବାରୁ ପାଦଚଲା ଯାତ୍ରୀ ସାଇକେଲ, ରିକ୍ସା, ବାଇକ୍ ଓ ଅଟୋ, ମିନିଟ୍ରକ୍ ଗୁଡିକ ବହୁ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଏଣୁ ଏହି ରାସ୍ତାଟିକୁ ବ୍ୟବହାର ଉପଯୋଗୀ କରାଯିବା ସହ ପୋଲଟିର ଦୁଇପାଶ୍ୱର୍ର ବାଡା (ୱିଙ୍ଗ ୱାଲ୍) ନିର୍ମାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ।