ଭୁବନେଶ୍ୱର– ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମବାୟ ସପ୍ତାହ । ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୁଖ ସାମିଲ ହୋଇଛନ୍ତି ।
ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ,ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ଗତ ସରକାରରେ ଚାଷୀଙ୍କୁ ଅନ୍ୟାୟ ଓ ଶୋଷଣ କରାଯାଇଛି । କୋପରେଟିଭ ସଂସ୍ଥାକୁ କରପସନ ସଂସ୍ଥାରେ ପରିଣତ କରିଥିଲେ ପୂର୍ବ ବିଜେଡ଼ି ସରକାର। ଯେଉଁ ଦୁର୍ନୀତି ଓ ଭ୍ରଷ୍ଟାଚାର ହୋଇଥିଲା । କେମିତି ଦୁର୍ନୀତି ଯୁକ୍ତ ବିଭାଗରୁ ଦୁର୍ନୀତି ବନ୍ଦ କରି ସେବା ଦିଆଯିବ, ତା ଉପରେ ବିଜେପି ସରକାର ଗୁରୁତ୍ବ ଦେଉଛନ୍ତି । ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଯେଉଁ ମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ । ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ କ୍ଷମା ନୁହେଁ, ଜେଲ ପଠାଯିବ । ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନ ଏମଏସପି ଉପରେ 100 ଟଙ୍କା ବୋନସ ଘୋଷଣା କରିଥିଲେ । କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ । ବିଜେପି ସରକାର ଚାଷୀଙ୍କୁ 800 ଟଙ୍କା ବୋନସ ଦେବେ । 2300 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ, ଏହାସହ 800 ଟଙ୍କା ଇନପୁଟ ସବସିଡି ଦେବ ବିଜେପି ସରକାର । ଡିସେମ୍ବର 8 ତାରିଖରେ ସୋହେଲାରେ 50 ହାଜର ଚାଷୀ ଏକାଠି ହେବେ । ଏଥର କଟନୀ ଛଟନୀ ହେବ ନାହିଁ, ବନ୍ଦ ହେବ । ସେଥିପାଇଁ ଚାଷୀ ମାନେ ଏଫଏକ୍ୟୁ ମାନର ଧାନ ଦେବେ । ଧାନ କିଣାରେ ଯେମିତି କିଛି ବ୍ୟତିକ୍ରମ ନହେବ, ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ତାଗିଦ ଏବଂ ନିର୍ଦ୍ଦେଶ ଦିଆଯାଇଛି ।