ପୁରୀ– ଆସନ୍ତାକାଲି ପବିତ୍ର କାର୍ତିକ ପୂର୍ଣ୍ଣିମାରେ ସମୁଦ୍ରରେ ଡ଼ଙ୍ଗା ଭସାଣ ଓ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଆଜି ବିଳମ୍ବିତ ରାତିରୁ ପୁରୀକୁ ଭକ୍ତଙ୍କ ସମାଗମ ବଢିବ । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀ ଏସପି ଭିନୀତ ଅଗ୍ରୱାଲ କହିଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତାକାଲି ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯିବ । ଏତଦ୍ ବ୍ୟତୀତ ସମୁଦ୍ର କୂଳେ ଡ଼ଙ୍ଗା ଭସାଣକୁ ନେଇ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ, ତେଣୁ ସେଠାରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯିବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପୋଲିସର ବରିଷ୍ଠ ଅଧିକାରୀମାନେ ଏହାର ତଦାରଖ କରିବେ । ୬ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି ର୍ୟାଙ୍କ୍ ର ଅଧିକାରୀ, ୩୭ ଜଣ ପୋଲିସ ଇନ୍ସପେକ୍ଟରଙ୍କ ସହିତ ୩୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଭକ୍ତ ମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେମାନଙ୍କର ନିରାପତା ଓ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ଆମ ଫୋକସ୍ ରେ ରହିବ । ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ଏତଦ୍ ବ୍ୟତୀତ ପଂଚ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯିବ । ସମୁଦ୍ର କୂଳେ ପୋଲିସ ସହିତ ଅଗ୍ନିଶମ ବାହିନୀ, ଲାଇଫ୍ ଗାର୍ଡଙ୍କୁ ମଧ୍ୟ ମୁତୟନ କରାଯିବ ।