ପୁରୀ– ମହାପୂଣ୍ୟ ମହାକାର୍ତିକରେ ଶ୍ରୀକ୍ଷେତ୍ର ହୋଇଛି ଚଳଚଂଚଳ । ଚାରିଆଡ଼େ ଧାର୍ମିକ ମାହୋଲ । ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ । ହବିଷ୍ୟାଳି କେନ୍ଦ୍ରଗୁଡିକ ରାଇଦାମୋଦର ପୂଜାରେ କମ୍ପୁଛି । ପଂଚୁକ ପାଇଁ ପଂଚତୀର୍ଥ ପୁଷ୍କରିଣୀରେ ଗହଳି ଲାଗିରହିଛି । କାର୍ତିକ ମାସରେ ପ୍ରତିଦିନ ଜଗନ୍ନାଥ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପଂଚକ ପାଇଁ ଲକ୍ଷ୍ମୀବଜାରରେ ହବିଷ୍ୟାଳିମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସମୁଦ୍ରକୂଳେ ସକାଳୁ ବାଲିରେ ରାଇଦାମୋଦର ପୂଜା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି । ମାର୍କଣ୍ଡ ପୁଷ୍କରଣୀ, ନରେନ୍ଦ୍ର ପୁଷ୍କରଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀରେ ପଂଚକ ବ୍ରତଧାରୀମାନେ ସ୍ନାନ କରିବା ସହ ପାଣି ସିଚଂନ କରୁଥିବା ଦେଖିବାକୁ ମିଳିଛି । ହବିଷ୍ୟାଳି କେନ୍ଦ୍ର ସହ ଶ୍ରୀକ୍ଷେତ୍ରର ଅନେକ ସ୍ଥାନରେ ସଂଧ୍ୟା ସମୟରେ ମାଟି ହାଣ୍ଡିରେ ଆକାଶ ଦୀପ ଜଳୁଥିବା ଦେଖିବାକୁ ମିଳୁଛି । ହବିଷ୍ୟାଳି କେନ୍ଦ୍ରରେ ଥିବା ହବିଷ୍ୟାଳି ଓ ସହରରେ ରହୁଥିବା ହବିଷ୍ୟାଳିଙ୍କ ସମ୍ପର୍କୀୟମାନେ ହବିଷ୍ୟାଳିଙ୍କୁ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି । ପଂଚୁକରେ ଚାରିଆଡ଼େ ଧର୍ମଚର୍ଚ୍ଚା, ଭଜନ ସମାରୋହ, ପଂଚକ ମହୋତ୍ସବ ପାଳିତ ହେଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।