କଟକ– ପଂଚକର ଚତୁର୍ଥ ଦିବସ ତଥା ବଡ଼ଓଷାରେ ଆଜି କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କୁ ହରିହର ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ୱର । ଶ୍ରଦ୍ଧାଳୁ ମାନେ ଧାଡିରେ ବ୍ୟାରିକେଡ୍ ରେ ଆସି ବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ପବିତ୍ର ଦିବସରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।
ଆଜି ବ୍ରହ୍ମମୂର୍ହୁତ ରାତ୍ର ୩ଟାରୁ ମନ୍ଦିରର ପହଡ ଓ ଦ୍ୱାରଫିଟା ନୀତି ଆରମ୍ଭ ହୋଇଥିଲା । ଏହାପରେ ମଙ୍ଗଳଆଳତୀ ଅନୁଷ୍ଠିତ ହୋଇଥିଲା । ମଙ୍ଗଳଆଳତୀ ପରେ ମଧୁରେ ବାବାଙ୍କ ସ୍ନାନ କରାଯାଇଥିଲା । ସ୍ନାନ ପରେ ଫୁଲ ଓ ଚନ୍ଦନରେ ବାବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ ଶ୍ରଦ୍ଧାଳୁଙ୍କ ନିମନ୍ତେ୍ ଦର୍ଶନ ଆରମ୍ଭ ହୋଇଥିଲା । ପରେ ବାବାଙ୍କୁ ମଙ୍ଗଳଆଳତୀ ଭୋଗ ଖେଚୁଡ଼ି ଭୋଗ, ବାଳଭୋଗ ଲାଗି ହୋଇଥିଲା । ମଧ୍ୟାହ୍ନରେ ବାବାଙ୍କୁ ଅନ୍ନ, ଡାଲମା, କ୍ଷିରୀ, ଖେଚୁଡ଼ି ଭୋଗ ଲାଗି ହୋଇଛି । ସେହିପରି ସଂନ୍ଧ୍ୟାରେ ସଂନ୍ଧ୍ୟା ଆଳତୀ ଅନୁଷ୍ଠିତ ହେବ ଏବଂ ରାତିରେ ବାବାଙ୍କ ଶୟନ ପୂର୍ବରୁ ଦହି ପଖାଳ ବାଟୁଳା ଭୋଗ ଲାଗି ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଓଡ଼୍ରାଫ୍, ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି ।
ଗତକାଲି ବଡସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ବାବା ଧବଳେଶ୍ୱର । ଗତକାଲି ମଧ୍ୟ ରାତ୍ରରେ ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀର ସନ୍ଦିକ୍ଷଣରେ ହରିହର ଭେଟ ଅନୁଷ୍ଠିତ ହେବା ସହ ପରମ୍ପରା ମୁତାବକ ବାବାଙ୍କ ନିକଟରେ ଗଜଭୋଗ ଓ ତରଣ ଲାଗି ହୋଇଥିଲା । ଚାଉଳ ଚୁନା, ଗୁଡ଼, ମୁଗ, ନଡ଼ିଆ କୋରା, ଛେନାରେ ଏହି ଗଜମଣ୍ଡା ପ୍ରସ୍ତୁତ ହୋଇଥାଏ ।