ଧର୍ମଶାଳା – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି କେନ୍ଦୁଝର ଯିବା ରାସ୍ତାରେ ହଠାତ୍ ବଡ଼ଚଣା ବ୍ଳକ ଶିକ୍ଷାଧିକାରିଣୀଙ୍କ କାର୍ଯ୍ୟାଳୟରେ ୧୦.୨୦ ମିନିଟରେ ଅଚାନକ ପଂହଚି ଥିଲେ । ଏହି ସମୟରେ ଶିକ୍ଷାଧିକାରିଣୀଙ୍କ ସମେତ କାର୍ଯ୍ୟାଳୟରେ ଅନ୍ୟମାନେ ଅନୁପସ୍ଥିତ ଥିଲେ । ସେଠାରେ କାର୍ଯ୍ୟାଳୟ ତରଫରୁ କାହିଁକି ଅନୁପସ୍ଥିତ ଥିଲେ ସେଥିନେଇ କୌଣସି ଲିଖିତ ଦରଖାସ୍ତ ନ ଥିଲା । ଏହା ସହ ନିକଟରେ ଥିବା ବଡ଼ଚଣା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପଂହଚିଥିଲେ । ସେଠାରେ ୫ଜଣ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ । ଏଥିରେ କ୍ଷୁବ୍ଧ ହୋଇ ସଙ୍ଗେ ସଙ୍ଗେ ଯାଜପୁର ଜିଲା ଶିକ୍ଷାଧିକାରୀଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ଶିକ୍ଷାଧିକାରୀ ଫୋନ ଯୋଗେ ନିର୍ଦ୍ଦେଶ ପାଇବା ପରେ ଚିଠି ନଂ ୫୮୬ରେ ତୁରନ୍ତ ୯ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ସେମାନଙ୍କ ଦରମା ବନ୍ଦ କରିଛନ୍ତି । ଅନୁପସ୍ଥିତ ଥିବା ବ୍ଲକ ଶିକ୍ଷାଅଧିକାରିଣୀ ସସ୍ମିତା ସାହୁ ଓ ଅନ୍ୟ ୪ଜଣ କର୍ମଚାରୀ ହେଲେ ବିଭୁଲଭ ପରିଡ଼ା(ଏମଆଇଏସ), ରଶ୍ମିରେଖା ପଣ୍ଡ(ବିଆରଟି), ଗଣେଶ ପ୍ରସାଦ ସିଂହ(ବିଆରଟି) ଏବଂ ଅରବିନ୍ଦ ଜେନା (ଏକାଉଁଟାଟ୍) । ସେଠାରୁ ବଡ଼ଚଣା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିଦର୍ଶରେ ଯାଇଥିଲେ । ସେଠାରେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ୫ଜଣ ଶିକ୍ଷୟିତ୍ରୀ ରସ୍ମିତା ସାହୁ, ରସ୍ମିତା ମହାନ୍ତି, ଛବିଲତା ରଥ, ଅର୍ପିତା ପଟ୍ଟନାୟକ ଓ ଦିପ୍ତୀମୟୀ ରାଉତ ପ୍ରମୁଖ ଅନୁପସ୍ଥିତ ଥିବା ଦେଖବାକୁ ପାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗଣଶିକ୍ଷା ମନ୍ତ୍ରୀଙ୍କର ଅଚାନକ ବଡ଼ଚଣା ଗସ୍ତ ଓ ଅନୁପସ୍ଥିତ କର୍ମଚାରୀ ଏବଂ ଶିକ୍ଷୟିତ୍ରୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନକୁ ନେଇ ବଡ଼ଚଣାର ଶିକ୍ଷକ , ଶିକ୍ଷୟତ୍ରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜିବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଦୀର୍ଘ ୪୦ମିନିଟ୍ ମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ବେଳେ ସଂପୃକ୍ତ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ ସମେତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିôବା ୧୦ଜଣ କେହି ପଂହଚି ପାରି ନ ଥିଲେ । ମନ୍ତ୍ରୀ ୧୧ଟାରେ ସ୍ଥାନ ପରିତ୍ୟାଗ କରିବା ପରେ ସେମାନେ ଆସି ପଂହଚି ଥିଲେ ।