-
ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରିବାକୁ ବିଦ୍ୟାର୍ଥୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ
-
ବିଭିନ୍ନ ଷ୍ଟଲ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କଲେ ମନ୍ତ୍ରୀ
ଭୁବନେଶ୍ୱର,ଉଦଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ ଶିଶୁ ମହୋତ୍ସବ 2024- ‘ସୁରଭି’ । ଉଦଘାଟନୀ ସମାରୋହରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ସୁରଭି କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ବିଭାଗୀୟ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ ।
ପ୍ରତ୍ୟେକ ବିଦ୍ୟାର୍ଥୀ ଭିତରେ କିଛି ବିଶେଷ ପ୍ରତିଭା ରହିଛି । ସେମାନେ ନିଜ ଭିତରେ ଥିବା ପ୍ରତିଭା ବା ସାମର୍ଥ୍ୟକୁ ଚିହ୍ନନ୍ତୁ । ନୂତନ ଜିନିଷ ଶିଖିବା ସହ ପ୍ରଶ୍ନ ପଚାରନ୍ତୁ ଏବଂ ସର୍ବଦା ନୂତନତାକୁ ଆପଣାଇବାକୁ ଚେଷ୍ଟା କରନ୍ତୁ । ଏଥିସହ ନିଜ ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରିବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍-3 କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ତିନି ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିକୁ ଉଦଘାଟନ କରି ଶ୍ରୀ ଗଣ୍ଡ କହିଛନ୍ତି, ବିକଶିତ ଓଡ଼ିଶା, ବିକଶିତ ଭାରତ ପରିକଳ୍ପନାକୁ ସତ କରିବାକୁ ହେଲେ ଶିକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେବ । ସେ ଏହାମଧ୍ୟ କହିଛନ୍ତି, କଳା ବଞ୍ଚିରହିଲେ, ଦେଶ ବଞ୍ଚିରହିବ । ଏହିକଥାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାର ଲୋକକଳାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ଏବଂ ଏହି ମହୋତ୍ସବ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।
ସେହିପରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରସ୍ଫୁଟିତ କରିବାକୁ ଏକ ମାଧ୍ୟମର ଆବଶ୍ୟକତା ଥାଏ ଏବଂ ‘ସୁରଭି’ ଭଳି ଏକ ବଡ଼ ମାଧ୍ୟମ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା ଦିଗରେ ସହାୟକ ହେବ । ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ କହିଛନ୍ତି, ଆଜିର ଶିଶୁ ଭବିଷ୍ୟତର ସର୍ବଶ୍ରେଷ୍ଠ ମାର୍ଗଦର୍ଶକ । ଏହି ଦିଗରେ ରାଜ୍ୟ ସରକାର ତଥା ଆମ ବିଭାଗ ଅହରହ ପ୍ରଚେଷ୍ଟାରତ । ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ପ୍ରୟାସ ।
ଉଦଘାଟନୀ କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ, ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଓଡ଼ିଶା ଲୋକକଳା ଶୀର୍ଷକ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । 30ଟି ଜିଲ୍ଲାରୁ ଜଣେ ଲେଖାଏଁ କୃତୀ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ଓଡ଼ିଶାର କଳାକୃତି ଉପରେ ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଥିଲେ । ଏହାସହ ପ୍ରବନ୍ଧ, ଚିତ୍ରାଙ୍କନ, ସୃଜନଶୀଳ ଲିଖନୀ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଚଳିତ ବର୍ଷ ସୁରଭି ମହୋତ୍ସବରେ ଆକର୍ଷଣ ପାଲଟିଛି ଆକାଂକ୍ଷୀ ଦୁନିଆ। ସ୍ପେସ୍ ଆକୃତିରେ ପ୍ରସ୍ତୁତ ହୋଇଥିବା ଆକାଂକ୍ଷୀ ଦୁନିଆରେ ଆମ ରାଜ୍ୟର ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିପରି ହେବ ତାହା ପ୍ରଦର୍ଶିତ ହେଉଛି । ବିଦ୍ୟାଳୟରେ ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଯଥା ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ରୀଡାଙ୍ଗନ ଏବଂ ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ ପ୍ରୋଗ୍ରାମ(କୌଶଳୀ) ପାଠ୍ୟକ୍ରମର ଝଲକ୍ ଏହା ଭିତରେ ଦେଖିବାକୁ ମିଳିଛି । ଏଥିସହ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଝଲକ୍ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଏବଂ ମୁଖ୍ୟପ୍ରଶିକ୍ଷକମାନେ ବିଭିନ୍ନ ଅଧିବେଶନ କରୁଛନ୍ତି ।
ବିଭିନ୍ନ ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଓ ସଫଳତା ସମ୍ପର୍କରେ ଷ୍ଟଲ ମାଧ୍ୟମରେ ସୂଚନା ଦିଆଯାଉଛି । ଉତ୍ସବରେ ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଷ୍ଟାରସ୍ ଏବଂ ହାକାଥନ୍, ସାଇବର ନିରାପତ୍ତା, ହଜିଯାଇଥିବା ପୁରାତନ ସାମଗ୍ରୀ, ବୃତ୍ତି ଚୟନ ସଚେତନତା, କାଗଜ ଭଙ୍ଗା ଓ ସଖୀ କଣ୍ଢେଇ ନାଚ, ବର୍ଜ୍ୟବସ୍ତୁରୁ ସୃଜନୀକଳା, ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ, ପିଏମ ପୋଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଇତ୍ୟାଦି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ମହୋତ୍ସବରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ଖଣ୍ଡଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଇତ୍ୟାଦି ସ୍ଥାନ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ନଭେମ୍ବର 14 ତାରିଖରେ ରାଜ୍ୟସ୍ତରୀୟ ଶିଶୁଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।