ଭୁବନେଶ୍ୱର, ଆଗାମୀ ନଭେମ୍ବର ୨୪ ତାରିଖରେ “ସୁଭଦ୍ରା” ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ମିଳିବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ପାଇଁ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆକାଉଣ୍ଟକୁ କିପରି ଅର୍ଥ ଯିବ, ସେଥିପାଇଁ ପ୍ରସ୍ତୁତି ଓ ସୁବ୍ୟବସ୍ଥା ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଯୋଗଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବିଡିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।
ପଞ୍ଜୀକରଣ କରିଥିବା ଅଥଚ ବ୍ୟାଙ୍କ ଏବଂ ଆଧାର ସଂଯୋଗୀକରଣ ଜନିତ ସମସ୍ୟା ଯୋଗୁଁ ବାଦ ପଡିଥିବା ହିତାଧିକାରୀମାନଙ୍କର ସମସ୍ୟାକୁ ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।ଏନ୍ସିପିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ) ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅର୍ଥ ପ୍ରେରଣବେଳେ ଯେଉଁମାନଙ୍କର ତୃଟି ଦେଖା ଦେଇଥିଲା, ତାହାକୁ ଅନୁଧ୍ୟାନ କରାଯିବ । ଏଥିପାଇଁ ହିତାଧିକାରୀଙ୍କ ନିମନ୍ତେ ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଯାଞ୍ଚ କମିଟି, ପୌରାଂଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଏବଂ ମହାନଗର ନିଗମରେ ମୁନିସିପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଦ୍ୱାରା ଆବେଦନ ଯାଞ୍ଜ ପରେ ଦରଖାସ୍ତଗୁଡ଼ିକୁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯାଂଚ ଓ ଅନୁମୋଦନ ପରେ ହିତାଧିକାରୀଙ୍କ ତାଲିକା ବିଭାଗକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବା ନେଇ ମାନକ ନିର୍ଦ୍ଧାରଣ ପଦ୍ଧତି (ଏସଓପି) ସ୍ଥିର କରାଯାଇଛି । ହିତାଧିକାରୀଙ୍କୁ ସହାୟତା ପାଇଁ ସମସ୍ତ ଜିଲ୍ଲାରେ ସୁଭଦ୍ରା ହେଲ୍ପ ଡେସ୍କମାନ କାର୍ଯ୍ୟ କରୁଛି । କ୍ଷେତ୍ରସ୍ତରରେ ଯାଂଚ ଟିମ୍ ମାନେ ଆବେଦନଗୁଡିକୁ ଯାଂଚ କରିବେ ।
ଯାଂଚ ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ନିରପେକ୍ଷ ରହିବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଯେପରି କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଅର୍ଥ ପାଇବାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଅଦ୍ୟାବଧି ୧ କୋଟି ୩ ଲକ୍ଷ ୬୨ ହଜାର ୩୭୭ ଟି ସୁଭଦ୍ରା ଆବେଦନ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି ।