-
ଜନଜାତି ଗୌରବ ବର୍ଷ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା
ଭୁବନେଶ୍ୱର,ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ପୁଣ୍ୟ ଜୟନ୍ତୀ ଅବସରରେ ୨୦୨୫ ମସିହାକୁ ଜନଜାତି ଗୌରବ ବର୍ଷ ରୂପେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏଥି ପାଇଁ ଆସନ୍ତା ନଭେମ୍ବର ୧୫ ତାରିଖରେ ଏହି ଉତ୍ସବର ଶୁଭାରମ୍ଭ କରାଯାଇ ସମଗ୍ର ଭାରତ ବର୍ଷର ଆଦିବାସୀ ବହୁଳ ଗ୍ରାମମାନଙ୍କରେ ସ୍ୱତନ୍ତ୍ର ଗ୍ରାମସଭା ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିିବ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଉପଯୁକ୍ତ ଭାବେ ପାଳନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ପଞ୍ଚାୟତି ରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ନୂତନ ଭାବରେ ବିଭାଗର ଶାସନ ସଚିବ ତଥା କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଗିରିଶ୍ ଏସ୍. ଏନ୍ ମାନ୍ୟବର ମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବା ସହ ଲୋକସେବା ଭବନସ୍ଥ ପଂଚାୟତି ରାଜ ଓ ପାନୀୟଜଳ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକକୁ ସ୍ୱାଗତ କରିଥିଲେ । ପରେ କାର୍ଯ୍ୟକ୍ରମ ପାଇଁ ୨୭ ଜିଲ୍ଲାର ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୃତ ସମୀକ୍ଷା ହୋଇଥିଲା ।
ବୈଠକରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ୨୭ଟି ଜିଲ୍ଲାର ୨୩୪ଟି ବ୍ଳକ୍ରେ ଥିବା ୨୪୦୮ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ଉପଲକ୍ଷେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପଠନ ସହ ସ୍ୱଚ୍ଛତା ରକ୍ଷା ଏବଂ ନିଶା ନିବାରଣ ନିମନ୍ତେ ଶପଥ ନିଆଯିବ । ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରାଯାଇ ତାଙ୍କ ପ୍ରଦର୍ଶିତ ମାର୍ଗ ବିଷୟରେ ଆଲୋଚନା ହେବ । ଗାଁର ବିକାଶ ନିମନ୍ତେ କାର୍ଯ୍ୟରତ ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରାଯିବ । ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ଗ୍ରାମସଭା ବୈଠକ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟୁନ ୫୦ ଜଣ ଯୋଗଦେବେ । ଉକ୍ତ ରାଜସ୍ୱ ଗ୍ରାମର ଅଧିବାସୀ ବିଶେଷତଃ ମହିଳା, ଯୁବପିଢି, ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ସାଧାରଣ ଜନତା ଓ ଏଥି ସହିତ ଗ୍ରାମ ସ୍ତରରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସହାୟିକା, ବେସରକାରୀ ସଂଗଠନର ପ୍ରତିନିଧି ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଆଦି ଅଂଶଗ୍ରହଣ କରିବେ । ଏହି ସ୍ୱତନ୍ତ୍ର ଗ୍ରାମସଭା ବୈଠକ ତଥା ପ୍ରଶିକ୍ଷଣରେ ପଞ୍ଚାୟତ/ବ୍ଳକ୍/ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନର ପ୍ରତିନିଧିମାନେ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ୍ (ପେସା), ଜଙ୍ଗଲ ଅଧିକାର ଆଇନ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର କାର୍ଯ୍ୟକାରିତା ତଥା ସଂପୃକ୍ତ ଗ୍ରାମପଞ୍ଚାୟତର ୨୦୨୫-୨୬ ମସିହା ନିମନ୍ତେ ଗ୍ରାମପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ପ୍ରସ୍ତୁତି ତଥା ପଞ୍ଚାୟତ ବିକାଶ ସୂଚୀର ସ୍ଥିତି ସଂପର୍କରେ ଅବଗତ କରିବେ । ଏତଦ୍ବ୍ୟତୀତ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଓ କୁପୋଷଣର ଶିକାର ହୋଇଥିବା ଶିଶୁମାନଙ୍କୁ ଚିହ୍ନଟ ଆଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯକ୍ରମକୁ ସମାପ୍ତ କରାଯିବ । ଏହି ସମସ୍ତ ଆୟୋଜନ ବିଷୟରେ ମାନ୍ୟବର ମନ୍ତ୍ରୀ ସବିଶେଷ ସମୀକ୍ଷା କରିଥିଲେ ।
ଏହି ସମୀକ୍ଷା ବୈଠକରେ ଶାସନ ସଚିବ ତଥା କମିଶନର ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ । ବୈଠକରେ ପାନୀୟଜଳ ନିର୍ଦ୍ଦେଶକ ଶ୍ରୀ ଭିନିତ ଭାରଦ୍ୱାଜ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ
ଶ୍ରୀ ଜ୍ୟୋତିପ୍ରକାଶ ଦାସ, ପଂଚାୟତି ରାଜ ନିର୍ଦ୍ଦେଶକ ଡ଼ ମହେଶ୍ୱର ସ୍ୱାଇଁ, ସମସ୍ତ ବରିଷ୍ଠ ଅଧିକାରୀ ଓ ଆଭାସି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ମୁଖ୍ୟ ନିର୍ବାହୀ ଅଧିକାରୀ, ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ । ଯେପରି ଜନସାଧାରଣ ବ୍ୟାପକ ରୂପେ ଅଂଶଗ୍ରହଣ କରିବେ ଓ ଗ୍ରାମର ବିକାଶ ତଥା ଜଙ୍ଗଲ ଅଧିକାର ଆଇନ୍ ସଂପର୍କରେ ଅଧିକ ଅବଗତ ହେବେ ସେ ବିଷୟରେ ମାନ୍ୟବର ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେଇଥିଲେ ।