
ଯୋଡ଼ା– ବଲାଣି ଖଣିର ଫାଇନ୍ସ ଷ୍ଟାକ୍ ରୁ ବିଭିନ୍ନ ସ୍ଥାନକୁ ହେଉଥିବା ପରିବହନ କୁ ନେଇ ପୁଣି ଅଶାନ୍ତ ହୋଇପଡିଛି ବଲାଣି । ସୂଚନାନୁସାରେ ବଲାଣି ଖଣି ଫାଇନ୍ସ ଷ୍ଟାକ୍ ରୁ ରଶ୍ମି ମେଟାଲିକ ଦ୍ୱାରା ୨୦ ହଜାର ଏମଟି ଲୌହ ଗୁଣ୍ଡ କ୍ରୟ କରାଯାଇ ରେଳ ଯୋଗେ ପରିବହନ କରିବାକୁ ବଲାଣି ରେଳ ସାଇଡ଼ିଂ କୁ ସଡ଼କ ପଥ ଯୋଗେ ପରିବହନ କାର୍ଯ୍ୟ ବିଭିନ୍ନ ପରିବହନ ସଂସ୍ଥାକୁ ଦିଆଯାଇଥିଲା। ଏହି କାର୍ୟ୍ଯ କୁ ଷ୍ଟାର ଟ୍ରି, ଆର୍ ଆର୍ , କାରୋ ନାମକ ପରିବହନ ସଂସ୍ଥାକୁ ୩ ଟି ପର୍ଯ୍ୟାୟରେ ୪ହଜାର ଏମଟି ର କାର୍ଯ୍ୟାଦେଶ ରଶ୍ମି ମେଟାଲିକ ପକ୍ଷରୁ ଦିଆଯାଇଥିଲା । ତେବେ ଅନ୍ତିମ ପର୍ଯ୍ୟାୟରେ ଷ୍ଟାର ଟ୍ରି କୁ ୮ହଜାର ଟନ୍ ଲୌହ ଗୁଣ୍ଡ ପରିବହନ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ପରିବହନକାରୀ ଯାଇଥିବା ବେଳେ ସେଠାରେ କିଛି ଆସମାଜିକ ଯୁବକ ବିରୋଧ କରିଥିଲେ ଏବଂ ପରିବହନ ସଂସ୍ଥାର ମାଲିକ ଅଜିତ ମିଶ୍ରଙ୍କ ଠାରୁ ମୋବାଇଲ ଛଡ଼ାଇନେବା ସହିତ ପକେଟରୁ ୫୦ହଜାର ଟଙ୍କା ଲୁଟ କରିବା ସହିତ ହତ୍ୟାର ଧମକ ଦେଇଥିବା ନେଇ ପରିବହନ ସଂସ୍ଥାର ମାଲିକ ଅଜିତ ମିଶ୍ର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । କାର୍ଯ୍ୟାଦେଶ ଥାଇ ମଧ୍ୟ ଜୋର ଜବରଦସ୍ତ କିଛି ଅସାମାଜିକ ଯୁବକ ଏହାକୁ ବିରୋଧ କରିବା ସହିତ ଲୁଟ ଭଳି ଅପରାଧ ଘଟାଇ ଥିଲେ ସୁଦ୍ଧା ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଜିତ ମିଶ୍ରଙ୍କ ସମର୍ଥିତ ସ୍ଥାନୀୟ ବାସିନ୍ଦା ଶ୍ରମିକ ନେତା କମଳାପତି ଯାଦବଙ୍କ ନେତୃତ୍ତ୍ୱରେ ବଲାଣି ଥାନାକୁ ଘେରାଉ କରିଥିଲେ । ତେବେ ଘେରାଉ ପରେ ମଧ୍ୟ ଉକ୍ତ ଅସାମାଜିକ ଯୁବକଙ୍କ ବିରୋଧରେ ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସ୍ଥାନୀୟ ଲୋକେ ସେଠାରୁ ନିରାଶ ହେବା ପରେ ଶତାଧିକ ସ୍ଥାନୀୟ ବାସିନ୍ଦା ବଲାଣି ଖଣିର ଫାଇନ୍ସ ଷ୍ଟାକ୍ ନିକଟକୁ ଯାଇଥିଲେ ଯେଉଁଠାରେ ଦୁଇ ଗୋଷ୍ଠୀ ଆମ୍ନା ସାମ୍ନା ହୋଇଥିଲେ । ସେଠାରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ପରେ ପୁଣି ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ବଲାଣି ଥାନାକୁ ଫେରି ଆସି ଘେରାଉ କରି ରଖିଥିବା ନେଇ ଜଣା ପଡ଼ିଛି । ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାକୁ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷ ଘେରାଉ କରି ରଖିଥିବା ସୂଚନା ରହିଛି ।