ଘଟଗାଁ- ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ଓ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ମିଳିତ ଆନୁକୂଲ୍ୟରେ ଗୁରୁଃସ୍ୱାମୀଙ୍କ ବିଜେସ୍ଥଳୀ ଘଟଗାଁ ସମର୍ପଣ କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକ ଓ ବିଶିଷ୍ଟ କବି ନୃସିଂହ ନାଥ ସିଂହଙ୍କ ସଭାପତିତ୍ୱରେ ମାଟି ମାଆର କଥା ପ୍ରଥମ ଉତ୍ସବ ଉଦଯାପିତ ହୋଇଯାଇଛି । ପଦ୍ମଶ୍ରୀ ଦୈତାରୀ ନାଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ମୁଖ୍ୟବକ୍ତା ରୂପେ ପ୍ରାକ୍ତନ ପ୍ରଫେସର ଡ଼ଃ. ବିମ୍ବାଧର ବେହେରା ଏବଂ ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ. ଧିରେନ ମହାନ୍ତି, ଐତିହାସିକ ହଳଧର ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ. ରଞ୍ଜନ କୁମାର ପଣ୍ଡା ଏବଂ କବି ଡମ୍ବରୁ ମହାନ୍ତ ଯୋଗଦେଇ କେନ୍ଦୁଝରର ସ୍ୱାଭିମାନ ମାତାରିଣୀ ପୀଠ ଘଟଗାଁ ଶୀର୍ଷକକୁ ନେଇ ସାହିତ୍ୟ, ସଂସ୍କୃତି ଓ ଐତିହାସିକ ତଥ୍ୟାବଳୀ ସହିତ ଆଧ୍ୟାତ୍ମିକ କଥାବସ୍ତୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଘଟଗାଁ ବ୍ଲକର ଯୁବ ପ୍ରତିଭାମାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଜିଲ୍ଲାର ବିଭିନ୍ନ ବ୍ଲକର ତିରିଶରୁ ଉର୍ଦ୍ଧ୍ୱ ଭାଗବତ ଟୁଙ୍ଗି ଗୁଡିକୁ ଭାଗବତ ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଘଟଗାଁ ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ତରଫରୁ ରଙ୍ଗାରଙ୍ଗ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ ଆଧ୍ୟାତ୍ମିକ ଗୀତି କବିତା ପାଠ କରିଥିଲେ । କବିତା ଗୁଡିକୁ ସଂଯୋଜନା କବି ଚିନ୍ତାମଣି ମହାଳିକ ଓ ରଙ୍କୁବାଳା ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କ୍ଷିତିଜ୍ୟୋତିଃ ଆଶ୍ରମର କେନ୍ଦ୍ର ସଂଗଠକ ଚରମାନନ୍ଦ ଦାସ ପ୍ରତାପ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ ଓ ବାବୁଲାଲ ପଲେଇ ଏବଂ ଉପେନ୍ଦ୍ର ଦାଶ ।
ଶୁଭାଶିଷ ପଟେଲ ବରୁଣ କୁମାର ବେହେରା, ତାପସ କୁମାର ପଣ୍ଡା, ନରେନ୍ଦ୍ର କୁମାର ସାହୁ, ଭୀମ ପାତ୍ର, ଟିଲୋତ୍ତମା ମହାନ୍ତ, ସନ୍ଧ୍ୟା ମହାନ୍ତ ଓ ଶକୁନ୍ତଳା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସର୍ବ ଶେଷରେ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ