ଭୁବନେଶ୍ୱର– ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଓଡିଆ ଭାଷାରେ ସରକାରୀ କାମ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତି ନେଇ ଘୋଷଣା କରିଥିଲେ । ହେଲେ ଆଜିବି ରାଜ୍ୟସରକାରଙ୍କର ଅଧିକାଂଶ ବିଭାଗରେ ସରକାରି କାମ ଇଂରାଜି ଭାଷାରେ ହେଉଛି । ଏଥିରୁ ବିଧାନସଭା ବି ବାଦ୍ ପଡୁନି । ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ପ୍ରାୟ ସମସ୍ତ ଚିଠି ଏବେବି ଇଂରାଜି ଭାଷାରେ ହେଉଛି । ବିଧାନସଭାରେ ଅନେକ ବିଭାଗର ସ୍ଥାୟୀ କମିଟିର ରିପୋର୍ଟ ଇଂରାଜି ଭାଷାରେ ଉପସ୍ଥାପିତ ହେଉଛି । ସେହିପରି ଅନେକ ବିଚାର ବିଭାଗୀୟ ରିପୋର୍ଟ, ବିଭାଗୀୟ ଖର୍ଚ୍ଚଦାବି, କମିଶନ ରିପୋର୍ଟ, ଅଧ୍ୟାଦେଶ ଆଦି ଓଡିଆ ଭାଷାରେ ସ୍ଥାପିତ ହେଉନାହିଁ । ବିଧାନସଭାରେ ସମସ୍ତ କାର୍ଯ୍ୟାବଳୀ ଓଡିଆ ଭାଷାରେ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ।
ଶ୍ରୀ ନାଏକ କହିଛନ୍ତି ଯେ ଲୋକସଭା ଭବନରେ ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ ହେଉନାହିଁ । ଖାଲି ସେତିକି ନୁହେଁ ନ୍ୟାୟାଳୟମାନଙ୍କରେ ବି ମୁଖ୍ୟ ଭାଷା ଭାବରେ ଇଂରାଜି ଭାଷାର ବ୍ୟବହାର ହେଉଛି । ଫଳରେ ସରକାରୀ କାର୍ଯ୍ୟକ୍ରମ ହେଉ ବା ନ୍ୟାୟ ହେଉ ସାଧାରଣ ଲୋକମାନେ ଭାଷାର ବାଧକତା କାରଣରୁ ସେଥିରୁ ବଂଚିତ ହେଉଛନ୍ତି । ଏହାକୁ ରୋକିବାକୁ ହେଲେ ରାଜ୍ୟ ଶାସନ ପ୍ରକିୟାରେ ଓଡିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ଲାଗୁକରିବାକୁ ପଡିବ । ସରକାରଙ୍କର ସମସ୍ତ ଚିଠି, ବିଜ୍ଞପ୍ତିକୁ ଓଡିଆ ଭାଷାରେ ପ୍ରକାଶନ କରିବାକୁ ପଡିବ । ଏବେ ଇଂରାଜି ଭାଷା ଏକ ନମ୍ବର ଭାଷା ଭାବେ ସବୁଠାରେ ବ୍ୟବହାର ହେଉଛି ଓ ଓଡିଆ ଭାଷାକୁ ଆବଶ୍ୟକ ପଡିଲେ ଦୁଇ ନମ୍ବର ଭାଷା ଭାବେ ବ୍ୟବହାର କରାଯାଉଛି । ଏଥିରେ ବଦଳାଯାଇ ଓଡିଆ ଭାଷାକୁ ଏକ ନମ୍ବର ଓ ଇଂରାଜି ଭାଷାକୁ ଆବଶ୍ୟକ ପଡିଲେ ଦୁଇ ନମ୍ବର ଭାଷା ଭାବେ ବ୍ୟବହାର କରାଯାଉ ।
ପ୍ରଦୀପ୍ତ ଚିଠିରେ ଲେଖିଛନ୍ତି ଯେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଓଡିଆ ଭାଷାରେ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ଦେଶର ଅନ୍ୟରାଜ୍ୟ ମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି । ହେଲେ ଓଡିଶା ଏ ଦିଗରେ ଏବେ ସୁଦ୍ଧା ଭାବିବା ବି ଆରମ୍ଭ କରିନାହିଁ ।
ସରକାରୀ କାର୍ଯ୍ୟ, ବିଧାନସଭା ଓ ବିଚାର ବିଭାଗୀୟ କାର୍ଯ୍ୟଧାରା ଲୋକାଭିମୁଖୀ ହେବାର ଆବଶ୍ୟକତା ଥିବାରୁ ଯେତେଶୀଘ୍ର ଓଡିଆ ଭାଷାର ବ୍ୟବହାର ବୃଦ୍ଧିପାଇବ ରାଜ୍ୟବାସୀଙ୍କ ପାଇଁ ସେତେ ମଙ୍ଗଳକାରି ହେବ । ତେଣୁ ମୁଖ୍ୟମନ୍ତ୍ରୀ ସାଧାରଣ ଓଡିଆମାନଙ୍କର ସ୍ୱାର୍ଥ୍ୟ ପାଇଁ ସମସ୍ତ ସରକାରୀ କାର୍ଯ୍ୟ, ବିଚାର ବିଭାଗୀୟ ଓ ବିଧାନସଭା କାର୍ଯ୍ୟକ୍ରମ ଓଡିଆ ଭାଷାରେ ସମ୍ପାଦନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି ।