ପୁରୀ– ମେଘନାଦ ପାଚେରୀରେ ଫାଟ ନେଇ ବର୍ଷିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ଵାଇଁ ମହାପାତ୍ର ଓରଫ ଜଗୁନି । ଜାଣି ଶୁଣି ଶ୍ରୀମନ୍ଦିରକୁ ଭାଙ୍ଗିଦେଲେ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଲେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଥିବା ମଠ, ମନ୍ଦିର ଓ ଘର । ଏହାଦ୍ୱାରା ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ସପୋର୍ଟ କମିଗଲା । ସପୋର୍ଟ କମିବା ଯୋଗୁଁ ମେଘନାଦ ପାଚେରୀ ଚାରିଆଡେ ଫାଟିଗଲା । ଅନ୍ୟପକ୍ଷରେ ସମୁଦ୍ରରୁ ଆସୁଥିବା ଲୁଣି ପବନ ମାଡରେ ପାଚେରୀ ଅଧିକ ଦୁର୍ବଳ ହେବାରେ ଲାଗିଛି । ଏହାକୁ ସମ୍ପୂର୍ଣ୍ଣ ମରାମତି କରାନଗଲେ, ଏହା ଭୁଶୁଡ଼ି ପଡିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ଜଗୁନି ।
ଆହୁରି ମଧ୍ୟ ଜଗୁନି କହିଛନ୍ତି ଯେ, ବିଗତ ୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି । ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି । ନିୟମିତ ଭାବେ ଭଙ୍ଗାଭଙ୍ଗି ଚାଲିଛି । ବର୍ତମାନ ସ୍ଥିତି ଯାହା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଏହାକୁ ସ୍ୱତନ୍ତ୍ର ଭାବେ କାମ କରୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ଜଗୁନି ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ମେଘନାଦ ପ୍ରାଚୀରର ତୁରନ୍ତ ସ୍ଥାୟୀ ମରାମତି କରିବାକୁ ଏଏସଆଇକୁ ଅନୁରୋଧ କରିଛି ମନ୍ଦିର ପ୍ରଶାସନ । ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢୀ ସୋମବାର ଏଥିପାଇଁ ଏଏସଆଇ ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି । ମେଘନାଦ ପ୍ରାଚୀରର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାର ତୁରନ୍ତ ସ୍ଥାୟୀ ମରାମତି ଏବଂ ପୁନରୁଦ୍ଧାର କରିବାକୁ ଡଃ. ପାଢୀ ଅନୁରୋଧ କରିଛନ୍ତି । ଏଥିସହ ପ୍ରାଚୀରର ଏକ ବୈଜ୍ଞାନିକ ସର୍ଭେ କରିବାକୁ ସେ ପରାମର୍ଶ ଦେଇଛନ୍ତି ।