ବନେଶ୍ୱର– ବରଗଡ ଠାରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ମଙ୍ଗଳବାର ଦିନିକିଆ ବରଗଡ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ୧୩୦ କୋଟି ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହା ମଧ୍ୟରେ ୭୦ କୋଟି ଟଙ୍କାର ୭ ଟି ପ୍ରକଳ୍ପର ଉଦଘାଟନ ଓ ୬୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ୨୨ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାର ଉଦଘାଟନ କରିଥିଲେ । ୬ ମହଲା ବିଶିଷ୍ଟ ଏହି ନୂତନ କୋଠା ୩୦୦ ଶଯ୍ୟା ବିଶିଷ୍ଟ ଏବଂ ଏଥିପାଇଁ ୪୫ କୋଟି ଟଙ୍କା ବ୍ୟୟ କରାଯାଇଛି । ସେହିପରି ବରଗଡରେ ଏକ ହାଇଲେଭଲ ସେତୁ , ବିଜେପୁର ଠାରେ ଆଇସିଆଇସିଆଇ ବ୍ୟାଙ୍କର ୧୫୦ ତମ ଶାଖା ଏବଂ ଜିଲ୍ଲା ବିଜ୍ଞାନ କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ସୁଶାନ୍ତ ସିଂହ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ସାସଂଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥଲା । ୧୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ ସହ ସିସିଟିଭି ଲଗାଯାଇଥିଲା ।