ଗଞ୍ଜାମ- ଧାନ ଖଳା ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀଙ୍କ ନାମ ଆର୍. ଲାଚ୍ଛେୟା । ତାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ସାନଦାଣ୍ଡ ସାହିରେ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଦିଗପହଣ୍ଡି-ନିମପଲ୍ଲୀ କେନାଲ ରାସ୍ତା ପାଶ୍ୱର୍ରେ ଥିବା ସୁରେଶ ପଶୁପାଳକଙ୍କ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଲାଚ୍ଛେୟା ଓ ନୂଆସାହିର କେ. ଅରକ୍ଷିତ ପାତ୍ର ଗତକାଲି ରାତିରେ ଯାଇଥିଲେ । ଦୁହେଁ ଧାନ ଖଳାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଶବ୍ଦ ଶୁଣି ନିଦରୁ ଉଠିଥିଲେ । ହାତୀ ଧାନ ଖାଉଥିବା ଦେଖି ତାକୁ ସେଠାରୁ ଘଉଡ଼ାଇବା ପାଇଁ ଉଦ୍ୟମ କରିବା ବେଳେ ଲାଚ୍ଛେୟା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ ନେଇ ତଳେ କଚାଡ଼ି ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ଏହା ଦେଖି ଅରକ୍ଷିତ ଜୀବନ ବଂଚାଇବାକୁ ସେଠାରୁ ଦୌଡ଼ି ପଳାଇଥିଲେ । ଖବର ପାଇ ଲାଚ୍ଛେୟାଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଦିଗପହଣ୍ଡି ବିଡ଼ିଓ, ତହସିଲଦାର ଓ ବନ ବିଭାଗ ରେଞ୍ଜର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ସବିଶେଷ ରିପୋର୍ଟ ସଂଗ୍ରହ କରିଛନ୍ତି । ମୃତକଙ୍କ ପରିବାରକୁ ଭେଟିବା ସହ ରେଡ଼କ୍ରସ୍ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଦିଗପହଣ୍ଡି ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଅନ୍ୟପକ୍ଷରେ ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ବିଜେପି ଓ କଂଗ୍ରେସ ଦଳର ନେତୃବୃନ୍ଦଙ୍କ ସମେତ କେତେକ ସ୍ଥାନୀୟ ଲୋକେ ଦିଗପହଣ୍ଡି ଡ଼ାକ୍ତରଖାନା ସମ୍ମୁଖସ୍ଥ ଚିକିଟି-ବ୍ରହ୍ମପୁର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଧାରଣାରେ ବସି ରହିଛନ୍ତି । ଠିକ୍ ସମୟରେ ମଣ୍ଡିରେ ଧାନ କିଣାଯାଉନଥିବା କାରଣରୁ ଧାନକୁ ସୁରକ୍ଷା ଯୋଗାଇବା ଚାଷୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଏବଂ ଧାନ ଜଗିଥିବା ବେଳେ ଅନେକ ସମୟରେ ହାତୀ ଆକ୍ରମଣର ଚାଷୀ ମୃତାହତ ହେବାର ନଜିର୍ ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।