-
ଖାଦ୍ୟଯୋଗାଣ କ୍ଷେତ୍ରରେ ଯୋଗାଣ ଅଧିକାରୀଙ୍କ ଭୂମିକାକୁ ପ୍ରଶଂସା କଲେ ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର,ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଇଂଜିନିୟର୍ସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ରାଜ୍ୟରେ ଖାଦ୍ୟଯୋଗାଣ ଓ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କୁ ଠିକଣା ସମୟରେ ରାସନ୍ ପ୍ରଦାନ କରିବାରେ ଯୋଗାଣ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଏଥି ସହ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯଥେଷ୍ଟ ପରିମାଣର ଖାଦ୍ୟଯୋଗାଣ ପ୍ରକ୍ରୟାକୁ ତ୍ୱରାନ୍ୱିତ କରି ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ସହଯୋଗ ଜାରି ରଖୁଛନ୍ତି । ଏହି ସମୟରେ କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭ ଆଶାରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି କରୁଥିବାରୁ ଯୋଗାଣ ଅଧିକାରୀମାନେ ଠିକଣା ସମୟରେ ଚଢ଼ାଉ କରି ଯଥୋଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ନିକଟରେ ବାତ୍ୟା ‘ଦାନା’କୁ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ଏହାର ପୂର୍ବ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ନିମନ୍ତେ ସମୁଚିତ ପଦକ୍ଷେପ ନେଇ ଯୋଗାଣ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଛନ୍ତି । ସେହିଭଳି ରାଜ୍ୟରେ ପ୍ରାୟ ୩ କୋଟି ୩୬ ଲକ୍ଷ ହିତାଧିକାରୀମାନଙ୍କୁ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସାମିଲ କରି ଠିକଣା ସମୟରେ ରାସନ୍ ପ୍ରଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଚଳିତ ଖରିଫ ଋତୁରେ ଧାନସଂଗ୍ରହବେଳେ ଯୋଗାଣ ଅଧିକାରୀମାନେ ଅସାଧୁ ବ୍ୟବସାୟୀଙ୍କୁ ପ୍ରତିହତ କରି ସରକାରଙ୍କୁ ସହଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଧାନସଂଗ୍ରହବେଳେ ଅଧିକାରୀମାନେ ନିଜର ଦାୟିତ୍ୱ ପ୍ରତି ନିଷ୍ଠା ରଖି କାର୍ଯ୍ୟ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସଂଘର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଥିଲେ ।
ଆଜିର ଏହି ସାଧାରଣ ପରିଷଦ ବୈଠକରେ ସଂଘର ବିଭିନ୍ନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଶ୍ରୀ ଅଜୟ କୁମାର ରଥ ପ୍ରାରମ୍ଭିକ ଉଦ୍ବୋଧନ ଦେଇ ଯୋଗାଣ ଅଧିକାରୀଙ୍କ ବିଭିନ୍ନ ସମୟରେ କାର୍ଯ୍ୟ ଦକ୍ଷତା ପ୍ରତିପାଦନ ସମ୍ପର୍କରେ ଅବଗତ କରାଇଥିଲେ । ସେହିଭଳି ସଂଘ ସଭାପତି ଶ୍ରୀ ପବିତ୍ର କୁମାର ସାହୁ ଓ ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ରୀୟ ମିଶ୍ର ସଂଘର ବିଭିନ୍ନ ଦାବି ସଂପର୍କରେ ଉଲ୍ଲେଖ କରିଥିଲେ । ଶେଷରେ ସଂଘ ଉପଦେଷ୍ଟା ଶ୍ରୀ ବିଭୂ ପ୍ରସନ୍ନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।