ଚମ୍ପୁଆ- ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଅନ୍ତର୍ଗତ ଜଗଦଳା, ଗୋଡୁଆଟୋପା ଗ୍ରାମରେ ହାତୀପଲ କେନାଲ ପାର ହେଉଥିବା ବେଳେ ଏକ ହାତୀ ଛୁଆ କେନାଲରେ ଖସି ପଡିଥିଲା। ପରେ ହାତୀପଲ ସହିତ ମା ହାତୀ ମଧ୍ୟ ଛୁଆକୁ ଛାଡ଼ି ଚାଲି ଯିବାପରେ ହାତୀ ଛୁଆଟି କେନାଲରୁ ବାହାରି ନିକଟସ୍ଥ ଏକ ଘର ଭିତରକୁ ପଶି ଯାଇଥିବା ଜଣାପଡିଛି।
ଖବର ଅନୁସାରେ, ଚମ୍ପୁଆ ରେଞ୍ଜ, ବାମେବାରୀ ସେକ୍ସନ ମଲଦା ଫରେଷ୍ଟବିଟ ଅନ୍ତର୍ଗତ ଜଗଦଳା ଡ୍ୟାମ ନିକଟରେ ଶନିବାର ରାତ୍ରିରେ ଏକ ୧୩ ଟିକିଆ ହାତୀପଲ ଗୋଡୁଆଟୋପା ଆଡୁ ଜଗଦଳା ଡ୍ୟାମ ନାଳ ପାର କରି ନିକଟସ୍ଥ ଜଙ୍ଗଲକୁ ଯାଉଥିଲେ। ଏହି ସମୟରେ ଗୋଟିଏ ହାତୀ ଛୁଆ କେନାଲ ଭିତରେ ଖସି ପଡ଼ିବା ପରେ ହାତୀ ପଲଙ୍କ ସହିତ ମା ହାତୀ ମଧ୍ୟ ସେଠାରେ ହାତୀ ଛୁଆକୁ ଛାଡି ଜଙ୍ଗଲକୁ ଚାଲିଯାଇଥିଲା। ପରେ ହାତୀ ଛୁଆଟି ସେଠାରୁ ଉଠି ନିକଟସ୍ଥ ଏକ ଘରେ ପଶି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିବା ସହିତ ବିଭାଗ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ହାତୀ ପଲଙ୍କ ଗତିବିଧି ଉପରେ ନିରୀକ୍ଷଣ କରି ହାତୀ ଛୁଆକୁ ମା ହାତୀ ସହିତ ମିଶେଇବାକୁ ପ୍ରୟାସ ଜାରି ରହିଛି। ତେବେ ଘର ଭିତରେ ହାତୀ ଛୁଆକୁ ପାଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ହାତୀ ଛୁଆକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି।