ଭୁବନେଶ୍ୱର : ଆଜି କୃଷି ଭବନସ୍ଥିତ ଅଡିଟୋରିଅମ ହଲରେ ଓଡିଶା ରାଜ୍ୟ କାଜୁ ନିଗମ ତରଫରୁ ଏକ କାଜୁ ସମ୍ମିଳନୀ ତଥା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାଜୁ ନିଗମ ପରିଚାଳନା ନିର୍ଦ୍ଦେଶକ ତଥା ଉଦ୍ୟାନ କୃଷି ଓ ମୃତ୍ତିକା ସରଂକ୍ଷଣ ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ଯୋଗଦେଇ କହିଥିଲେ ଯେ, ଓଡ଼ିଶାରୁ ଉତ୍ପାଦିତ ହେଉଥିବା ଏକ ନିଜସ୍ୱ କାଜୁ ବ୍ରାଣ୍ଡ ହେବା ଆବଶ୍ୟକ ।
ସମ୍ପ୍ରତି ରାଜ୍ୟର ୨୭୦୦୦ ହେକ୍ଟର ଜମିରେ କାଜୁ ଫସଲ କରାଯାଉଛି । କାଜୁ ନିଗମ ଅଧୀନରେ ୫୮୭ଟି ପ୍ଲାଣ୍ଟେସନ ସାଇଟ ରହିଛି ତଥା ୨୦ଟି ନର୍ସରୀ ମଧ୍ୟ ରହିଛି, ଯେଉଁଥିରୁ ପ୍ରାୟ ୩୫ ରୁ ୪୦ ଲକ୍ଷ ଉଚ୍ଚକୋଟୀର କାଜୁ ଚାରା ଉତ୍ପାଦନ ହେଉଛି । କାଜୁ ଫସଲର ଚାଷଜମି ଅନୁଯାୟୀ ଭାରତରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ ଅଟେ। କାଜୁ ଖାଇବା ଶରୀର ପକ୍ଷେ ହିତକର। ଏହା ହୃଦୟ, ଚର୍ମ କୁ ସୁସ୍ଥ ରଖିବା ସହ ଆଖିର ଜ୍ୟୋତି ବଢାଏ, ରକ୍ତରେ ଶର୍କରା ଓ ଓଜନକୁ ନିୟନ୍ତ୍ରଣ ମଧ୍ୟ କରିଥାଏ।
ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାଜୁ ମଞ୍ଜି ଉତ୍ପାଦନକାରୀ, ନିଲାମଧାରୀ ପ୍ରଭୃତି ସାମିଲ ହୋଇ କାଜୁର ବିଭିନ୍ନ କିସମ ତଥା ଜଳବାୟୁ ପରିବର୍ତ୍ତନର କାଜୁ ଉତ୍ପାଦନ ଉପରେ ପ୍ରଭାବ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । କାଜୁ ଫସଲକୁ ଅଧିକ ଲାଭଜନକ କରିବା ସହ ଏହାର ଫଳରୁ ମଧ୍ୟ ବିଭିନ୍ନ ପ୍ରକାର ଉତ୍ପାଦ ପ୍ରସ୍ତୁତ ଦିଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ୨୦୨୫ ବର୍ଷ ପାଇଁ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରଯାଇଥିଲା ।
ଏହି ସମ୍ମିଳନୀରେ ଓୟୁଏଟି ପ୍ରଫେସର ଶ୍ରୀମତି କବିତା ସେଠୀ, ଡକ୍ଟର ପ୍ରଭୁ ଚରଣ ଲେଙ୍କା, କାଜୁ ନିଗମର ଶ୍ରୀମତି ସଂଘମିତ୍ରା ବେହେରା, ଶ୍ରୀ ଲକ୍ଷ୍ମୀଧର ଜେନା ଓ ଶ୍ରୀ ନୀତିନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।