ଭୁବନେଶ୍ୱର – ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଂଚଳିକ ଲୋକ ସମ୍ପର୍କ ବୁ୍ୟରୋ, ଓଡିଶା ତରଫରୁ ଆସନ୍ତାକାଲି (ବୁଧବାର) ସ୍ଥାନୀୟ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରଠାରେ ଦିନିକିଆ ମିଶନ ଇନ୍ଦ୍ରଧନୁଷ ପ୍ରାଦେଶିକ କର୍ମଶାଳା ଆୟୋଜିତ ହେବ ।
କେନ୍ଦ୍ର ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି କର୍ମଶାଳାରେ ପଞ୍ଜିକୃତ କଳାକାରମାନଙ୍କୁ ସଚେତନ କରାଯିବ । ସେମାନେ ପରବର୍ତୀ ସମୟରେ ଭାରତ ସରକାରଙ୍କ ଦ୍ୱାରା ଚିହ୍ନିତ ଆମ ରାଜ୍ୟର ୫ଟି ଜିଲ୍ଲା ଯଥା – ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକାରି ୧୦ଗୋଟି ରୋଗର ଟୀକାକରଣ ସମ୍ବନ୍ଧରେ ସଚେତନ କରାଇବେ । ୧୯୮୫ରୁ ଭାରତ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସଘନ ମିଶନ ଇନ୍ଦ୍ରଧନୁଷ – ୨ରେ ମାତୃ ମୃତୁ୍ୟହାର ଓ ଶିଶୁ ମୃତୁ୍ୟହାର ହ୍ରାସ କରିବା ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।