ପାରାଦ୍ୱୀପ- ପାରାଦ୍ୱୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଯାହାର ନାମ ‘କାଉ ମାଛ’ । କାଉ ଭଳି ଏହାର ଥଂଟ ଲମ୍ବା ଥିବାରୁ ସ୍ଥାନୀୟ ଅଂଚଳରେ ଏହାକୁ କାଉ ମାଛ କୁହାଯାଇଥାଏ । ଗତକାଲି ରାତିରେ କେତେକ ମତ୍ସ୍ୟଜିବୀ ଏକ ଦେଶୀ ଡ଼ଙ୍ଗା ଯୋଗେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ମାଛଟି ଗିଲେଟିନ୍ ଜାଲରେ ପଡିଥିଲା । ଆଜି ଭୋରରୁ ଡ଼ଙ୍ଗାଟି କୂଳରେ ଲାଗିବା ପରେ ମତ୍ସ୍ୟଜିବୀ ମାନେ ଜାଲରେ ଏହି ବିଶାଳକାୟ ମାଛଟିକୁ ଦେଖିବାକୁ ପାଇଥିଲେ । ଯାହାର ଓଜନ ପ୍ରାୟ ୨ କ୍ୱିଂଟାଲ ହେବ । ସ୍ଥାନୀୟ ଅଠରବାଙ୍କୀ ବାଲି ପ୍ଲଟ୍ ରେ ମାଛଟିକୁ ବିକ୍ରୀ ଉଦ୍ଦେଶ୍ୟରେ ରଖାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପାରାଦ୍ୱୀପ ସମୁଦ୍ରରୁ ଦୁଇ ଥର ଏହି ବିରଳ ପ୍ରଜାତିର ମାଛ ଧରାଯାଇଥିଲା । ଗୋଟିଏରୁ ଓଜନ ୧ କ୍ୱିଂଟାଲ ଏବଂ ଅନ୍ୟଟିର ଓଜନ ପ୍ରାୟ ୧ କ୍ୱିଂଟାଲ ୩୦ କେଜି ଥିଲା । ତେବେ ଏହା ସୁବୁଠୁ ବଡ଼ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ମାଛଟିକୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା ।