ଅହମ୍ମଦାବାଦ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟ ଗସ୍ତରେ ଆସିବେ । ଏହି ଗସ୍ତ ବେଳେ ସେ ଅମରେଲି ଜିଲ୍ଲାରେ ୪୮୦୦ କୋଟି ଟଙ୍କାରୁ ଅଧିକ ବିକାଶ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ତନ୍ମଧ୍ୟରେ ଅମରେଲି, ଜାମନଗର, ମୋରବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ତଥା ବୋଟାଦ ଜିଲ୍ଲାରେ ପ୍ରାୟ ୧୬୦୦ ବିକାଶମୂଳକ କାର୍ଯ୍ୟ ସାମିଲ୍ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଜଳ ଯୋଗାଣ ବିଭାଗର ବିକାଶ କାର୍ଯ୍ୟର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ସେ ଅମରେଲି ଜିଲ୍ଲାରେ ଗାଗଡିୟୋ ନଦୀରେ ୩୫ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ଭାରତ ମାତା ସରୋବରର ଲୋକାର୍ପଣ କରିବେ । ଏଥି ସହିତ ମୋଦୀ ଜଳ ସଂଚୟ ବିଭାଗ ଅନ୍ତର୍ଗତ ୨୦ କୋଟି ଟଙ୍କାର ପିଟ ରିଚାର୍ଜ, ବୋରୱେଲ ରିଚାର୍ଜ ଏବଂ କୂଅ ରିଚାର୍ଜ ର ୧୦୦୦ କାର୍ଯ୍ୟର ଶିଳାନ୍ୟାସ ତଥା ୫୯୦ କାର୍ଯ୍ୟର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ରାଷ୍ଟ୍ରିୟ ରାଜମାର୍ଗ ପ୍ରାଧିକରଣର ୨୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ ହୋଇଥିବା ଏବଂ ହେବାକୁ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ସେ ରେଲୱେ ବିଭାଗ ଅନ୍ତର୍ଗତ ୧୦୯୪ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଭୁଜ-ନଲିୟା ଗେଜ୍ କନଭର୍ଜନ ପ୍ରୋଜେକ୍ଟର ଲୋକାର୍ପଣ ମଧ୍ୟ କରିବେ ।