
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ- ନିଜ ଗ୍ରାମ ସମେତ ବିଭିନ୍ନ ସ୍ଥାନରେ ନିଜ ଖର୍ଚ୍ଚରେ ଗଛ ଲଗାଇ ‘ଗଛମଣିଷ’ ଭାବରେ ପରିଚିତ ବିଜୟ କୁମାର ଜେନା ଏବେ ପୁଣି ନିଜର ସମ୍ପୂର୍ଣ୍ଣ ଶରୀରକୁ ମୃତ୍ୟ ପରେ ଦାନ କରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଲୋକସେବକ ମଣ୍ଡଳ ପକ୍ଷରୁ ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ‘ପଞ୍ଚମ ଦଧୀଚି ମହୋତ୍ସବ’ ଅବସରରେ ୩୪୧ ଜଣ ଶରୀର ଦାତାଙ୍କ ସମେତ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବିଜୟ କୁମାର ଜେନା ଓ ତାଙ୍କ ପତ୍ନୀ ପ୍ରତିଭା ଜେନାଙ୍କୁ ମିଳିଛି ସମ୍ମାନ ଜନକ ‘ଦଧୀଚି ସମ୍ମାନ’। ଖଇରା ବ୍ଲକ୍ ର ଗଡ଼ପୋଖରୀ ଗ୍ରାମର ‘ଗଛମଣିଷ’ ଭାବେ ପରିଚିତ ବିଜୟ କୁମାର ଜେନା ଓ ତାଙ୍କ ପତ୍ନୀ ପ୍ରତିଭା ମୃତ୍ୟୁ ପରେ ନିଜ ଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ଦାନ କରିଛନ୍ତି।
ଏହି ମହତ କାର୍ଯ୍ୟ ପାଇଁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏ ସମ୍ପର୍କରେ ଶ୍ରୀଜେନାଙ୍କୁ ପଚାରିଲେ ସେ କହନ୍ତି, “ଡାକ୍ତର ହେବା ପାଇଁ ଅଭ୍ୟାସର ଅାବଶ୍ୟକତା ରହିଛି। ସେଥିପାଇଁ ପାଠ ପଢିବା ବେଳେ ମୃତଶରୀରର ଅାବଶ୍ୟକତା ପଡ଼ିଥାଏ। କିନ୍ତୁ ସଚେତନତା ଅଭାବରୁ ଓଡ଼ିଶାରେ ଅଙ୍ଗଦାନ ଓ ଶରୀରଦାନ ହାର ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ରହିଛି। ତେଣୁ ମୁଁ ଶରୀରଦାନ ସମ୍ପର୍କରେ ସବୁଠି ସଚେତନ କରାଉଛି।” ଏବେ ତାଙ୍କ ପୁଅ ମଧ୍ୟ ନିଜ ଶରୀର ଦାନ କରିବାକୁ ରାଜି ଅଛନ୍ତି ମାତ୍ର ମାତ୍ର ସେ ସାବାଳକ ହୋଇ ନଥିବାରୁ ଅପେକ୍ଷାରେ ଅଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଶ୍ରୀଜେନା ନିଃସ୍ବାର୍ଥପର ଭାବେ ଗଛ ଲଗାଇବା ସହ ରକ୍ତଦାନ ଭଳି ମହତ କାମରେ ନିଜକୁ ଜଡ଼ିତ ରଖିଛନ୍ତି। ଏଭଳି ଏକ ମହତ କାମ ପାଇଁ ଜେନାଦମ୍ପତିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।