ଭଦ୍ରକ – ଜିଲ୍ଲାର ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର ମନୋନୀତ ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରମାନଙ୍କ ତାଲିମ ଶିବିର ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମନ୍ତ୍ର ଯଥା ପ୍ରଯୁକ୍ତି ବିଦ୍ୟା, ସମ୍ମିଳିତ ଉଦ୍ୟମ, ସ୍ୱଚ୍ଛତା, ସମୟାନୁବର୍ତ୍ତିତା, ରୂପାନ୍ତରଣ ଆଧାରରେ ‘ସ୍ୱଚ୍ଛ ଓଡ଼ିଶା – ସୁସ୍ଥ ଓଡ଼ିଶା’ ଆହ୍ୱାନକୁ ସାକାର କରିବା ପାଇଁ ଭଦ୍ରକ ଜିଲ୍ଲାର ଦୁଇଟି ଯାକ ପୌରପାଳିକା ଓ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସ୍ୱଚ୍ଛ ସହର ଭାବରେ ପରିଗଣିତ କରିବାର ପ୍ରୟାସରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୩୨ଟି ସ୍ୱୟଂ ସହାୟକ ଗୋଷ୍ଠୀରୁ ମନୋନୀତ ୫୯ଜଣ ସ୍ୱଚ୍ଛ ସାଥୀ ଓ ୧୬ ଜଣ ସୁପରଭାଇଜର ଯୋଗ ଦେଇଥିଲେ । ସ୍ୱଚ୍ଛ ସାଥୀ ଓ ସୁପରଭାଇଜରମାନେ ବିଭିନ୍ନ ୱାର୍ଡରେ କଠିନ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ସହିତ ଘର ଘର ବୁଲି ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ଗୁଡିକୁ କିପରି ଭାବରେ ପୃଥକୀକରଣ କରାଯାଇ ସଫେଇ କର୍ମଚାରୀଙ୍କୁ ହସ୍ତାନ୍ତର କରାଯିବ ସେ ସଂକ୍ରାନ୍ତରେ ଜନସାଧାରଣ ବିଶେଷ କରି ମହିଳାମାନଙ୍କ ଅବଗତ କରାଇବେ । ପ୍ରତ୍ୟେକ ସ୍ୱଚ୍ଛ ସାଥୀ ୱାର୍ଡରେ ଥିବା ୬ଶହ ଘର ଓ ପ୍ରତ୍ୟେକ ସୁପରଭାଇଜର ୨୪୦୦ ଘରର ଦାୟିତ୍ୱ ବହନ କରିବେ । ଅନୁଷ୍ଠିତ ଏହି ତାଳିମ ଶିବିରକୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଉଦ୍ଘାଟନ କରିଥିବା ବେଳେ ଭଦ୍ରକର ଅତିରିକ୍ତ ଉପଜିଲ୍ଲାପାଳ ତଥା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରମା ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିବିରରେ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରତିନିଧି ଭାବେ ଉପସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଧାମନଗର, ଚାନ୍ଦବାଲି ବିଜ୍ଞାପିତ ପରିଷଦର ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ନଗର ଉନ୍ନୟନ ବିଭାଗର ସାଧନ କର୍ମୀ ସନ୍ତୋଷ ପଣ୍ଡା, ଚିତ୍ତରଂଜନ ମହାରଣା ସ୍ୱଚ୍ଛ ସାଥୀ ଓ ସୁପରଭାଇଜରମାନଙ୍କୁ ତାଲିମ ପ୍ରଦାନ କରିବା ସହିତ ବ୍ୟାବହାରିକ ପ୍ରଦର୍ଶନ ମାଧ୍ୟମରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଦର୍ଶାଇଥିଲେ ।
Related Stories
November 24, 2024
November 24, 2024