ମାଲକାନଗିରି– ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ପାଇଁ ସୁରକ୍ଷିତ ଅଂଚଳ । ବେଫିକର ଭାବେ ଏଠି ଗଞ୍ଜେଇ ଚାଷ କରୁଛନ୍ତି ବାହାର ରାଜ୍ୟର ମାଫିଆ । ଧରାପଡ଼ୁଛନ୍ତି ଆଦିବାସୀ କିନ୍ତୁ ମାଫିଆ ହେଉଛନ୍ତି ମାଲେମାଲ୍ । କେମିତି ମାଲକାନଗିରିରେ ଚେର ଜମାଇ ଚାଷ ହେଉଛି ଗଞ୍ଜେଇ । ଧାଡ଼ି ଧାଡ଼ି ହୋଇ ପୋତା ହେଉଛି ଗଞ୍ଜେଇ ଗଛ । ନା କାହାକୁ ଡର, ନା କାହାକୁ ଭୟ । ଶହ ଶହ ହେକ୍ଟର ଜମିରେ ହେଉଛି ଚାଷ । ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସୁରକ୍ଷିତ ସ୍ଥାନ । ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ମାଲକାନଗିରି । ଏବେ ଗତ କିଛି ବର୍ଷ ଧରି ମାତିଛନ୍ତି ବାହାର ରାଜ୍ୟର ମାଫିଆ । ଓଡ଼ିଶା ବାହାରେ ବସି ଏଠି ଚଳାଇଛନ୍ତି ଗଞ୍ଜେଇ ରାଜ୍ । ଜିଲ୍ଲାରେ ବସବାସ କରୁଥିବା ଲୋକଙ୍କୁ ହାତ କରି ସେମାନଙ୍କୁ କାମରେ ଲଗାଇ ଏହି ବେଆଇନ କାରବାର ଚାଲୁଛି । ଏପରିକି ଉନ୍ନତମାନର ବିହନ ଆଣି ଏହାକୁ ଚାଷ କରାଯାଉଥିବା ବି ଅଭିଯୋଗ ରହିଛି । କୁହାଯାଉଛି ଓଡ଼ିଶା ଗଞ୍ଜେଇର ବାହାର ରାଜ୍ୟରେ ବେଶ୍ ଚାହିଦା ରହିଛି । ଏମିତିକି ମେଟ୍ରୋ ସିଟିରେ ଚଢ଼ା ଦରରେ ଏସବୁ ବିକ୍ରି ହୁଏ । ଓଡ଼ିଶାରେ ବେଆଇନ ଗଞ୍ଜେଇ ବେପାର କରି ବାହାର ରାଜ୍ୟର ମାଫିଆ ମାଲେମାଲ୍ । ମାଲକାନଗିରିର ସ୍ୱାଭିମାନ ଅଂଚଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଥାନା ଗୁଡିକରେ ଶହ ଶହ ହେକ୍ଟରରେ ଏବେ ଚାଷ ହେଉଛି ଗଞ୍ଜେଇ । ପୂର୍ବରୁ ଗଞ୍ଜେଇ ଚାଷ ପଛରେ ମାଓବାଦୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଥିଲା । ହେଲେ ଏବେ ମାଓ ଗତିବିଧି କମିଛି କିନ୍ତୁ ଗଞ୍ଜେଇ ଚାଷ କମିବ କଣ ବଢ଼ିବାରେ ଲାଗିଛି ।
ପୋଲିସର ତଥ୍ୟ ଅନୁସାରେ, ଗତବର୍ଷ ୩୬ ଟନ୍ ଯାହାର ଆନୁମାନିକ ମୂଲ୍ୟ ୧୮୦ କୋଟିର ଗଞ୍ଜେଇ ଜବତ କରିଥିଲା ପୋଲିସ । ଚଳିତ ବର୍ଷ ୨୦ ଟନ୍ ଗଞ୍ଜେଇ ଜବତ କଲାଣି । ତଥାପି କାହିଁକି ବ୍ରେକ୍ ଲାଗୁନି ଏ ବେଆଇନ କାମରେ ? ଅଭିଯୋଗ ହେଉଛି ଯେ, ବାହାର ରାଜ୍ୟରୁ ମାଫିଆମାନେ ନିରୀହ ଆଦିବାସୀମାନଙ୍କୁ ଏ କାମରେ ନିୟୋଜିତ କରୁଛନ୍ତି । ଗିରଫ ହେଲା ବେଳେ ସ୍ଥାନୀୟ ଲୋକେ ବଳି ପଡ଼ୁଛନ୍ତି କିନ୍ତୁ ମାଫିଆଙ୍କୁ ଧରି ହେଉନି । ଜଙ୍ଗଲରେ ଚାଷ ହେଉଥିବାରୁ ରେଡ୍ ବେଳେ ଫେରାର୍ ମାରୁଛନ୍ତି ମାଷ୍ଟର୍ ମାଇଣ୍ଡ । ଏପରି ସ୍ଥିତିରେ ମାଲକାନଗିରିକୁ ଗଞ୍ଜେଇ ମୁକ୍ତ କରିବାକୁ ହେଉଥିବା ଅପରେସନ୍ କେବେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।