
କନ୍ଧମାଳ– ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି ତଥାପି ଜିଲ୍ଲାର ଅଧିକାଂଶ ଦୁର୍ଗମ ଅଂଚଳକୁ ମୌଳିକ ସୁବିଧା ପହଂଚି ପାରୁନି । ଏପରିକି ରାସ୍ତା ଘାଟ, ବିଶୁଦ୍ଧ ଜଳ ଯୋଗାଣ ସାତ ସପନ ହୋଇଛି । ସେହିଭଳି ଏକ ଗାଁ କୋଟଗଡ ବ୍ଲକ ଅନ୍ତର୍ଗତ କୋଟଗଡ ପଂଚାୟତର ଆଦର୍ଶ କଲୋନୀ, କହଁର ସାହି, ରୂପା ଝରି ସାହି । ଉକ୍ତ ସାହିରେ ୫୦ ରୁ ଅଧିକ ପରିବାର ଲୋକେ ବସବାସ କରନ୍ତି । ଏଠାର ଲୋକ ସଂଖ୍ୟା ପ୍ରାୟ ୧୨୦ ରୁ ଉର୍ଦ୍ଧ୍ୱ ହେବ । ଏଠାରେ ଲୋକେ ବସବାସ କଲେଣି ପ୍ରାୟତଃ ୫୦ ବର୍ଷ ହେବ; କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କୋଟଗଡ଼ ପଂଚାୟତ ଠାରୁ ପ୍ରାୟ ୨ କି.ମି. ଦୂରତା ହେବ । କିନ୍ତୁ ଦୀପ ତଳେ ଅନ୍ଧାର ଭଳି ସ୍ଥିତି । ପଂଚାୟତ କାର୍ଯ୍ୟାଳୟ ଠାରୁ ଅତି ନିକଟରେ ଏହି ସାହି ଗୁଡିକ ରହିଛି, ହେଲେ ଆଜି ପର୍ଯ୍ୟନ୍ତ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏହି ସାହି ବାସିନ୍ଦା । ଉକ୍ତ ଗ୍ରାମର ସାହି ଗୁଡିକୁ ଯିବା ଆସିବା କରିବା ପାଇଁ ଭଲ ପକ୍କା ରାସ୍ତା ଟିଏ ନାହିଁ । ଯେଉଁ ରାସ୍ତା ଟିଏ ଅଛି ବର୍ଷା ହେଲେ ତାହା କାଦୁଅ ସରବର । ବର୍ଷା ହେଲେ ବର୍ଷା ପାଣି ରାସ୍ତା ଉପରେ ଜମାଟ ବାନ୍ଧି ରହିଥାଏ । ରାସ୍ତା ଘାଟ ଅଛି ନା ଡ୍ରେନ ର କୌଣସି ସୁବିଧା ଅଛି । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୁଏ । ପାନୀୟ ଜଳ କଥା ନକହିବା ଭଲ ଉକ୍ତ ସାହି ଗୁଡିକରେ । ୨ଟି ନଳକୂପ ଅଛି ସତ କିନ୍ତୁ ସେଥିରୁ କଳଙ୍କି ପାଣି ବାହାରୁଛି । ସେହି ପାଣି ମଧ୍ୟ ଗୋଳିଆ, କାଦୁଅ ପାଣି, ଦଶ ପନ୍ଦର ଥର ନଳକୂପ ମାରିଲା ପରେ ହିଁ ବହୁ କଷ୍ଟରେ ପାଣି ବାହାରେ । ଏହି ପାଣିକୁ ବ୍ୟବହାର କରିବା ସମ୍ଭବ ନୁହେଁ । ଶେଷରେ ଗ୍ରାମର ଲୋକେ ନାଳ ନିକଟରେ ଏକ ଗର୍ତ କରି କୁଣ୍ଡ ନିର୍ମାଣ କରି ସେହି କୁଣ୍ଡ ପାଣିକୁ ଗାମୁଛା ସାହାଯ୍ୟରେ ବାଲ୍ଟି, ହାଣ୍ଡି, ଗୋରିଆ, ମାଠିଆରେ ଛାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରନ୍ତି । ପାଣି, ରାସ୍ତାଘାଟ ସମସ୍ୟା ନେଇ ସେମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାଣି ସମସ୍ୟା ଦୂର ହେଲାନାହିଁ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରାଚଂଳ ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ, ରାସ୍ତା ଘାଟ ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ସତ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଦର୍ଶ କଲୋନୀ, କହଁର ସାହି, ରୂପା ଝରି ସାହି ଗୁଡିକୁ ତୁରନ୍ତ ରାସ୍ତାଘାଟ ଓ ସୋଲାର ପାଣି ଟାଙ୍କି କିମ୍ବା ବସୁଧା ପାଣି ଟାଙ୍କି ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ସରକାର ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଂଚଳ ବାସୀ ସୁଶୀଳା କହଁର, ସୁମିତ୍ରା କହଁର, ସରିତା କହଁର, ରୋମା କହଁର, ତପକୀ କହଁର, ଗୌତମ କହଁର, ରଜତ କହଁର, ସୁଲଚନା ମଲିକ, ବଂଗଡି କହଁର, ଲମ୍ବୋଦର କହଁର, ବିଭୀଷଣ ଉଠାଣ ସିଂ, ଘାସିରାମ ପ୍ରଧାନ, କବିରାଜ ପ୍ରଧାନ, ବାଲେଶ୍ୱର କହଁର, ଗୋବିନ୍ଦ ବିନ୍ଧାଣି ପ୍ରମୁଖ ଦାବି କରିଛନ୍ତି ।