ଭୁବନେଶ୍ୱର– ରାଜ୍ୟରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ସୋସିଆଲ ମିଡିଆରେ କହିଛନ୍ତି, ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ୱାରା ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଭଳି ସମୟରେ ଜନସାଧାରଣ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ଅନୁରୋଧ କରୁଛି ।
ସେ ଆଗକୁ କହିଛନ୍ତି ଯେ,. ଆମ ଦଳର କାର୍ଯ୍ୟକର୍ତ୍ତାମାନେ ନିଜର ଶକ୍ତି ଓ ସାମର୍ଥ୍ୟ ସହ ବାତ୍ୟା ପ୍ରଭାବିତ ହେବାକୁ ଥିବା ସ୍ଥାନର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ଜନସାଧାରଣଙ୍କର କିଛି କ୍ଷତି ନ ହେଉ, ଏହା ହିଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।