ଭୁବନେଶ୍ୱର,ପୋଖରୀପୁଟ ଶିଳ୍ପୀବିହାରସ୍ଥିତ ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଆଜି ପରିଦର୍ଶନ କରିଛନ୍ତି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ । ସେଠାରେ ପ୍ରଦର୍ଶିତ ରାଜ୍ୟର ଅନନ୍ୟ କଳାକୃତିଗୁଡ଼ିକୁ ଦେଖି ସେ ଅଭିଭୂତ ହୋଇଥିଲେ । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ‘କଳାଭୂମି’ ପରିଦର୍ଶନ କଲେ ଆମ ଐତିହ୍ୟସମ୍ପନ୍ନ ହସ୍ତଶିଳ୍ପର ସମୃଦ୍ଧ ପରମ୍ପରା ବିଷୟରେ ଜାଣିହେବ ଏବଂ ଓଡ଼ିଆଭାବେ ଯେ କେହି ଗର୍ବ ଅନୁଭବ କରିବ ।
ଏହି ପରିଦର୍ଶନ ସମୟରେ ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ହସ୍ତଶିଳ୍ପର ଯୁଗ୍ମ ନିର୍ଦ୍ଦେଶକ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ ଘଟିକାରୁ ଅପରାହ୍ଣ ୫.୩୦ ମିନିଟ୍ ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲା ରହିଥାଏ । ଅଭିଜ୍ଞ ଶିକ୍ଷକ ତଥା ପ୍ରସିଦ୍ଧି ଲାଭ କରିଥିବା ହସ୍ତକଳା ଓ ହସ୍ତତନ୍ତ ଶିଳ୍ପୀମାନଙ୍କ ଦ୍ୱାରା ନିୟମିତଭାବେ କର୍ମଶାଳାର ଆୟୋଜନ କରାଯାଇଥାଏ । ସଂଗ୍ରହାଳୟର ଶ୍ରାବ୍ୟଦୃଶ୍ୟ ପ୍ରକୋଷ୍ଠରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ହସ୍ତଶିଳ୍ପ ବିଷୟରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥାଏ । ସଂଗ୍ରହାଳୟରେ ମୋଟ୍ ୯ଟି ଗ୍ୟାଲେରୀ ରହିଛି ।