ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକ ସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ମିଳନୀ କକ୍ଷଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରଶାସନଙ୍କୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜ଼ିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ, ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ORS, ହାଲୋଜେନ ଟାବଲେଟ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ମହଜୁତ କରିରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଗର୍ଭବତୀ ମହିଳାମାନଙ୍କୁ ନିକଟବର୍ତ୍ତୀ ମାଟରନିଟି ଗୃହକୁ ସ୍ଥାନାନ୍ତରଣ କରି ସେମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଖାନା ମାନଙ୍କରେ ଡିଜି/ଜେନେରେଟର ଓ ପର୍ଯ୍ୟାପ୍ତ ପରିମାଣର ଡିଜେଲ ମହଜୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜ଼ିଲ୍ଲା ଓ ବ୍ଲକର ତ୍ୱରିତ ପ୍ରତିକ୍ରିୟା ଦଳକୁ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କୋଲଡ଼ ଚେନ ପଏଣ୍ଟ ଓ ପାୱାର ବ୍ୟାକପର ସୁବନ୍ଦୋବସ୍ତ, ଜଳର ନିୟମିତ ପରୀକ୍ଷା, ନିର୍ଦ୍ଧିଷ୍ଟ ପୋର୍ଟାଲରେ ନିୟମିତ ବ୍ୟବଧାନରେ ତଥ୍ୟ ଅଫଲୋଡ଼, ଗର୍ଭବତୀ ମହିଳା, ସାପ କାମୁଡା ଓ ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ବେଡ଼, ବ୍ୟାପକ ଜନସଚେତନତା, ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା, ସଦର ମହକୁମା ନ ଛାଡିବା ଓ ଯେଉଁଠି ଔଷଧ ମହଜୁତ ନାହିଁ ବା ଅଧିକ ଔଷଧର ଆବଶ୍ୟକତା ରହିଛି ତୁରନ୍ତ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ଯୋଗାଯୋଗ ବିଛିନ୍ନ ହୋଇଥାଏ ତେଣୁ ସେଥିପାଇଁ ବିଶେଷ ଯତ୍ନବାନ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ, ମେଡିକାଲ କଲେଜ ଗୁଡିକର ଅଧିକ୍ଷକ ଓ ସମସ୍ତ ଜ଼ିଲ୍ଲାର ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ମାନେ ଉପସ୍ଥିତ ଥିଲେ।
Related Stories
November 24, 2024