ମାଲକାନଗିରି – ଦଶମ ଜାତୀୟ ମତଦାତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନିଶ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିଛି ।
ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଝୋଟି ଏବଂ ସ୍ଲୋଗାନ୍ ଲିଖନ ପ୍ରତିଯୋଗିତା ସମୂହରେ ନିଜର କୃତିତ୍ୱର ପ୍ରଦର୍ଶନ କରିଥିଲେ । ଏଥିପାଇଁ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ କେ. ଶ୍ରୀଚନ୍ଦନ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ସହାୟକ ଜିଲ୍ଲାପାଳ ହୃଷିକେଶ ଗଣ୍ଡ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସଭା ପରିଚାଳନା କାର୍ଯ୍ୟ ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଡ. ରଞ୍ଜନ କୁମାର ସ୍ୱାଇଁ କରିଥିବାବେଳେ ଯୁବ ରେଡ଼କ୍ରସର ଜିଲ୍ଲ।। ସଂଯୋଜକ ଡି. ଆଶିଷ ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ରତ୍ନାକର ମିଶ୍ର, ନେଶ ଶବର, କଙ୍କର ବେହେରା, ସୂର୍ଯ୍ୟ ନାରାୟଣ ଗୌଡ଼, ଡିଗ୍ରୀ ମହାବିଦ୍ୟାଳୟର ରତ୍ନେଶ ରଞ୍ଜନ, ଜିଲ୍ଲା ପ୍ରଶାସନ ତରଫରୁ ଜୟଦେବ କର, ଜୟଦେବ ଦାସ, ମୁଖ୍ୟ କିରାଣୀ, ଜ୍ଞାନରଞ୍ଜନ ସ୍ୱାଇଁ, ଭଗବାନ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଭୋଟର ପଞ୍ଜିକରଣ ଅଧିକାରୀ ରାମେଶ୍ୱର ପ୍ରଧାନ ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇଥିବାବେଳେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୨୫ ତାରିଖ ଦିନ ଜାତୀୟ ମତଦାତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି ।