ସମ୍ବଲପୁର– ସହରର ସାମାଜିକ ଅନୁଷ୍ଠାନ “ସେତୁ”ର ସ୍ବନକ୍ଷତ୍ର ଦିବସ ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ ଗାୟତ୍ରୀ ଫାର୍ମାସୀ କଲେଜ୍, ଜମାଦାରପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେତୁର ସଭାପତି ଡ଼. ମୀନକେତନ ପାଠୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ସେତୁର ବରିଷ୍ଠ ସଦସ୍ୟ ହରି ନାରାୟଣ ପଣ୍ଡା ନୂତନ ଭାବେ ସଭ୍ୟ ଭାବେ ଯୋଗଦେଇଥିବା ସୁଶ୍ରୀ ଅନନ୍ୟା ବେହେରାଙ୍କୁ ଆଜୀବନ ସଭ୍ୟା ଏବଂ ବିଶିଷ୍ଟ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ପୂଜାରୀଙ୍କୁ ପୃଷ୍ଠପୋଷକ ଭାବରେ ସେ ଘୋଷଣା କରିଥିଲେ।
ପ୍ରାରମ୍ଭରେ ସେତୁର ସମ୍ପାଦକ ସୁକାନ୍ତ କୁମାର କର ବାର୍ଷିକ ବିବରଣୀ ପାଠ ସହିତ ଆଗାମୀ ଦିନରେ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ଏବଂ କୋଷାଧ୍ୟକ୍ଷ ରବି ନାରାୟଣ ପ୍ରଧାନ ଆୟବ୍ୟୟ ବିବରଣୀ ସହ ଅଡିଟ୍ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ଅବସରରେ ସେତୁର ସଦସ୍ଯ ସଦସ୍ୟାଗଣ ଖୋଲା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଗାମୀ ଦିନରେ ସେତୁକୁ ଆହୁରି ସୁସଂଗଠିତ କରି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ପରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ଅଧ୍ୟାପିକା ଡ. ସସ୍ମିତା କର ଓ ଶ୍ରୀମତୀ ରୀନାରାଣୀ ମିଶ୍ର ସଂଯୋଜନା କରିଥିଲେ। ପରିଶେଷରେ ଯୁଗ୍ମ ସମ୍ପାଦକ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗାୟତ୍ରୀ ଫାର୍ମାସୀ କଲେଜର ନିର୍ଦ୍ଦେଶକ ଡ. ଅଶୋକ କୁମାର ଶତପଥୀ ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।