
ନୂଆଦିଲ୍ଲୀ/ଭୁବନେଶ୍ଵର– ସମ୍ଭାବ୍ୟ ବାତ୍ୟା ଦାନା ର ଗତିପଥ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ନୂଆ ସୂଚନା ଜାରି ହୋଇଛି । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଛୁଇଁପାରେ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କି.ମି. ରହିବ ।
ଆଇଏମଡି ଡିଜି ଡଃ. ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ବର୍ତମାନ ଏହା ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରୂପେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ଏବଂ ୨୩ ତାରିଖରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେଇ ଏହା ଉତର ବଙ୍ଗୋପସାଗରରେ ପହଂଚିବ । ଏବଂ ପରବର୍ତୀ ସମୟରେ ଏହା ଉତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଠାରୁ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବ । ଯେତେବେଳେ ଏହା ଉପକୂଳକୁ ଅତିକ୍ରମ କରିବ ସେତେବେଳେ ପବନର ବେଗ ଘଂଟା ପ୍ରତି ୧୦୦ରୁ ୧୨୦ କି.ମି. ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳକୁ ସତର୍କ ସୂଚନା ଜାରି କରାଯାଇଛି ।
ଆହୁରି ମଧ୍ୟ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ । କିନ୍ତୁ ୨୪ ତାରିଖ ଓ ୨୫ ତାରିଖରେ ସବୁଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷତଃ ଉତର ଓଡ଼ିଶାର ଉପକୂଳବର୍ତି ଜିଲ୍ଲାମାନଙ୍କରେ ଭୀଷଣରୁ ଅତିଭୀଷଣ ବର୍ଷା ହୋଇପାରେ । ୨୪ ତାରିଖରେ ପୁରୀ ଠାରୁ ଆରମ୍ଭ କରି ଯେତେଗୁଡିଏ ଉପକୂଳବର୍ତୀ ଜିଲ୍ଲା ରହିଛି ମୟୂରଭଞ୍ଜ ପର୍ଯ୍ୟନ୍ତ ଏବଂ ଏହାର ଆଖପାଖ ଜିଲ୍ଲା ଯଥା ଢ଼େଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା ଇତ୍ୟାଦି ଜିଲ୍ଲା ମାନଙ୍କ ସହ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ କେନ୍ଦୁଝର ଏସବୁ ସ୍ଥାନରେ ଭୀଷଣ ବର୍ଷା ହୋଇପାରେ । କେତେକ ସ୍ଥାନରେ ଭୀଷଣରୁ ଅତିଭୀଷଣ ବର୍ଷା ମଧ୍ୟ ହୋଇପାରେ । ୨୫ ତାରିଖରେ ମଧ୍ୟ ଏସବୁ ଜିଲ୍ଲା ମାନଙ୍କରେ ବର୍ଷାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ମାନଙ୍କରେ ପବନର ବେଗ ସବୁଠୁ ଅଧିକ ୧୦୦ରୁ ୧୨୦ କି.ମି. ପ୍ରବାହିତ ହେବ । ଉତର ଓଡ଼ିଶାର ଜିଲ୍ଲା ମାନଙ୍କରେ ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ଅଧିକ ପବନ ହେବାର ସମ୍ଭାବନା ରହିଛି ।