କେନ୍ଦୁଝର/ଘଟଗାଁ– କେନ୍ଦୁଝର ଜିଲ୍ଳାରେ ଗତ ୧୦ ବର୍ଷରେ ୬୧୭୩ ଟି ଯାନ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ୩୦୬୮ ଜଣଙ୍କର ଜୀବନ ଯାଇଥିବାର ଜଣାପଡିଛି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଜିଲ୍ଲାରେ “ସଡ଼କ ସୁରକ୍ଷା “ଓ ଅନ୍ୟାନ୍ୟ ନିରାକରଣ କାର୍ଯ୍ୟକ୍ରମମାନ ଚାଲିଛି, ହେଲେ ଯାନ ଦୁର୍ଘଟଣା କମିବାର ନାଁ ଧରୁନାହିଁ, ବିଶେଷକରି ଯାନ ଚାଳକ ମାନଙ୍କର ବେପାରୁଆ ଯାନ ଚାଳନା ସହିତ ବିଭିନ୍ନ ନିଶା ସେବନ କରି ଯାନ ଚଲାଚଳ ଯୋଗୁଁ ଦୁର୍ଘଟଣା ବୃଦ୍ଧି କରୁଥିବାର ଜଣାପଡିଛି । ଏହା ସହିତ ଏଭଳି ବେପାରୁଆ ଯାନ ଚଳା ଚଳ ଓ ନିଶା ସେବନ କାରି ଯାନ ଚଳା ଚଳ ଉପରେ ବିଭାଗିୟ ପକ୍ଷରୁ ଧରପଗଡ଼ରେ କୋହଳତା ଯୋଗୁଁ ଜିଲ୍ଲାରେ ଯାନ ଦୁର୍ଘଟଣା ବୃଦ୍ଧି ସହ ତତଜନିତ ଜୀବନ ହାନି ମଧ୍ୟ ବଢିବାରେ ଲାଗିଛି ।
ମିଳିଥିବା ସୂତ୍ରରୁ ଜଣାପଡିଛି ଯେ, ଗତ ୨୦୨୩ ରୁ ୨୦୧୪ ଏହି ୧୦ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଡ଼କ ପଥରେ ୬୧୭୩ ଟି ଯାନ ଦୁର୍ଘଟଣା ଘଟି ଥିବାବେଳେ ଏଥିରେ ଉକ୍ତ ଦଶ ବର୍ଷରେ ୩୦୬୮ ଜଣଙ୍କର ଜୀବନ ଯାନ ଦୁର୍ଘଟଣାରେ ଯାଇଥିବାର ଜଣାପଡିଛି । ଗତ ୨୦୨୩ ମସିହାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୭୫୪ ଟି ଯାନ ଦୁର୍ଘଟଣା ଘଟିଥିବା ବେଳେ ୨୦୨୨ ରେ ୬୫୯ ଟି ଯାନ ଦୁର୍ଘଟଣା, ୨୦୨୧ ରେ ୬୬୧ ଟି, ୨୦୨୦ରେ ୬୪୯ ଟି, ୨୦୧୯ ରେ ୬୭୪ ଟି, ୨୦୧୮ରେ ୬୩୯ ଟି, ୨୦୧୭ ରେ ୫୯୨ ଟି, ୨୦୧୬ ରେ ୫୬୦ଟି, ୨୦୧୫ ରେ ୪୧୮ ଟି, ୨୦୧୪ ମସିହାରେ ୫୦୪ଟି ଯାନ ଦୁର୍ଘଟଣା ଘଟିଥିବାର ଜଣାପଡିଛି । ସେହିଭଳି ଯାନ ଦୁର୍ଘଟଣାରେ ବର୍ଷକୁ ୫ ଶହରୁ ୬ ଶହ ପର୍ଯ୍ୟନ୍ତ ବ୍ୟକ୍ତି ଯାନ ଦୁର୍ଘଟଣାରେ ଗୁରୁତର ଆହାତ ହେଉଥିବାର ପ୍ରକାଶ । ଯାନ ଦୁର୍ଘଟଣାକୁ ରୋକିବାକୁ ହେଲେ ବେପାରୁଆ ଯାନ ଚାଳନା, ନିଶା ମୁକ୍ତ ଯାନ ଚଳାଚଳ, ରାସ୍ତାର ଉଭୟ ପାର୍ଶ୍ଵରୁ ଜବର ଦଖଲ ଉଛେଦ, ରାସ୍ତା ପାର୍ଶ୍ଵରୁ ଚୋରା ମଦ ବିକ୍ରି ରୋକିବା, ବିପଦଜନକ ସ୍ଥାନ ମାନଙ୍କରେ ବିପଦ ସଙ୍କେତ ଚିହ୍ନ ଦେବା, ଓ ଦୃତ ଗତି ରୋକିବା ଉପରେ ଗୁରୁତ୍ୱ ଦିଆଗଲେ ଯାନ ଦୁର୍ଘଟଣା ଓ ତତଜନିତ ଜୀବନ ହାନି ବହୁଳ ଭାବେ ହ୍ରାସ ପାଇ ପାରନ୍ତା ବୋଲି ବରିଷ୍ଠ ସାମ୍ବାଦିକ ତଥା ସଡ଼କ ସୁରକ୍ଷା କମିଟିର ସଦସ୍ୟ ସୁରଜିତ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ।