କେନ୍ଦୁଝର/ଘଟଗାଁ- ଟାଟାଷ୍ଟିଲ୍ ଲିମିଟେଡ଼ ଆନୁକୂଲ୍ୟରେ ଆୟୋଜିତ ଏକ-ଦିବସୀୟ ମିଡିଆ ମୈତ୍ରୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଯୋଡ଼ା କେନ୍ଦ୍ରୀୟ ଖେଳ ପଡ଼ିଆଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି । ଏଥିରେ ବଡ଼ବିଲ ଏକାଦଶ, କେନ୍ଦୁଝର ଏକାଦଶ, କୋଇଡା ଏକାଦଶ, ଯୋଡା ଏକାଦଶ, ଚମ୍ପୁଆ ଏକାଦଶ, ଟାଟାଷ୍ଟିଲ ଏକାଦଶ ଏହି ୬ଟି ଦଳକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ କୋଇଡା ଏକାଦଶକୁ ହରାଇ ଟାଟାଷ୍ଟିଲ ଏକାଦଶ ଚାମ୍ପିଅନ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଟାଟାଷ୍ଟିଲ (ଓଏମ୍ କ୍ୟୁ) ର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲ୍ ଯୋଡାର ମୁଖ୍ୟ ରାଜେଶ କୁମାର, କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଇସ୍ପାତ ଖଣିର ମୁଖ୍ୟ ରାହୁଲ କିଶୋର, ସ୍ଲରି ପାଇପଲାଇନ ମୁଖ୍ୟ ପ୍ରବୀଣ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ଯାଚ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳ ପେନାଲ୍ଟି ସୁଟ ଆଉଟ ଯୋଗେ ଟାଟାଷ୍ଟିଲ ଏକାଦଶ କୋଇଡା ଏକାଦଶକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଫାଇନାଲ ମ୍ଯାଚରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ଟାଟାଷ୍ଟିଲ ଏକାଦଶର ସାର୍ଥକ ଦାସଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରଯାଇଥିବା ବେଳେ ଟାଟାଷ୍ଟିଲ ଏକାଦଶର ସଂଜୀବ ଡୋଗରାଙ୍କୁ ମ୍ୟାନ୍ ଅଫ ଦି ସିରିଜ ଭାବେ ପୁରସ୍କୁତ କରଯାଇଥିଲା । ଏହା ପୂର୍ବରୁ ଟାଟାଷ୍ଟିଲ ଏକାଦଶ ଏବଂ ଚମ୍ପୁଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ନକ ଆଉଟ ମ୍ଯାଚରେ ଟାଟାଷ୍ଟିଲ ଏକାଦଶ ୫-୦ ଗୋଲରେ ବିଜୟ ଲାଭ କରିଥିଲା । ସେହିପରି, ଯୋଡା ଏକାଦଶ ଏବଂ ବଡ଼ବିଲ ଏକାଦଶ ମଧ୍ୟରେ ହୋଇଥିବା ଦ୍ଵିତୀୟ ନକ ଆଉଟ ମ୍ଯାଚରେ ଯୋଡା ଏକାଦଶ ୩-୦ ଗୋଲରେ ବିଜୟ ଲାଭ କରିଥିଲା । କେଉଁଝର ଏକାଦଶ ଓ କୋଇଡା ଏକାଦଶ ମଧ୍ୟରେ ହୋଇଥିବା ତୃତୀୟ ନକ ଆଉଟ ମ୍ଯାଚରେ କୋଇଡା ଏକାଦଶ ୧-୦ ଗୋଲରେ ବିଜୟ ଲାଭ କରିଥିଲା । ଯୋଡା ଏକାଦଶ ଓ କୋଇଡା ଏକାଦଶ ମଧ୍ୟରେ ଆୟୋଜିତ ଚିତ୍ତାକର୍ଷକ ସେମି ଫାଇନାଲ ମ୍ଯାଚରେ କୋଇଡା ଏକାଦଶ ୪-୦ ଗୋଲରେ ବିଜୟ ଲାଭ କରି ଫାଇନାଲକୁ ଉତ୍ତୀର୍ଣ ହୋଇଥିଲା ।
ମିଡିଆ ମୈତ୍ରୀ ଫୁଟବଲ କପ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଟାଟାଷ୍ଟିଲ୍ ଗୋଷ୍ଠୀ ନିୟୋଜନ କୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ବଦ୍ଧ । କମ୍ପାନୀ ସମସ୍ତ ଅଂଶଗ୍ରହଣକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନଙ୍କ ଉତ୍ସାହ ଏବଂ କ୍ରୀଡ଼ା ମନୋଭାବ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତିି ।