ନୂଆଦିଲ୍ଲୀ/ଭୁବନେଶ୍ଵର– ସମ୍ଭାବ୍ୟ ବାତ୍ୟା ଦାନା ର ଗତିପଥ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ନୂଆ ସୂଚନା ଜାରି ହୋଇଛି । ତଦନୁଯାୟୀ, ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଧ୍ୟରେ ଉପକୂଳ ଛୁଇଁପାରେ । ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କି.ମି. ରହିବ । ସ୍ଥଳ ବିଶେଷରେ ଏହା ବଢି ୧୨୦ କି.ମି.କୁ ଛୁଇଁପାରେ ।
ଏବେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗକୁ ବଢୁଛି ଲଘୁଚାପ । ଏହା ପଶ୍ଚିମ ଉତର ପଶ୍ଚିମ ଦିଗକୁ ଗତି କରିବ । ଅଧିକ ଘନିଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବ । ଏବଂ ୨୩ ତାରିଖରେ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଏହା ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବରେ ସମୁଦ୍ର ଧିରେ ଧିରେ ଅଶାନ୍ତ ହେବ । ପବନର ବେଗ ବଢିବ । ୨୩ ତାରିଖ ସଂନ୍ଧ୍ୟା ଠାରୁ ଓଡ଼ିଶା ଉପକୂଳରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଦାନା ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଛୁଇଁପାରେ ।
ସେହିପରି ୨୩ ତାରିଖ ଠାରୁ ଓଡ଼ିଶା ଉପକୂଳ ଅଂଚଳରେ ବର୍ଷା ଆରମ୍ଭ ହେବ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ଅଧିକ ବର୍ଷା ଓ ଅଧିକ ପବନ ରହିବ । ଆଭ୍ୟନ୍ତରିଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏପରିକି ଆଉ କେତେକ ସ୍ଥାନରେ ୩୦ ସେ.ମି. ପର୍ଯ୍ୟନ୍ତ କିମ୍ବା ୩୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳକୁ ସତର୍କ ସୂଚନା ଜାରି କରାଯାଇଛି ।