ନୂଆଦିଲ୍ଲୀ/ଭୁବନେଶ୍ଵର– ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ବାତ୍ୟା ଏବଂ ୨୪ ତାରିଖ ସକାଳ ସୁଦ୍ଧା ଏହା ଉତରପଶ୍ଚିମ ବଙ୍ଗୋପସାଗର ଅର୍ଥାତ୍ ଓଡ଼ିଶା-ପଶ୍ଚିମବଙ୍ଗକୁ ଲାଗି ରହିଥିବା ବଙ୍ଗୋପସାଗରରେ ପହଂଚିବା ନେଇ ପୂର୍ବାନୁମାନ କରାଯାଉଛି ।
ଏନେଇ ଅଧିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତକାଲି କେନ୍ଦ୍ରିୟ ଆଣ୍ଡାମାନ ସାଗରରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ତାହା ଉତର ପଶ୍ଚିମ ଦିଗରେ ଗତି କରି ଆଜି ଉତର ଆଣ୍ଡାମାନ ସାଗର ଏବଂ ଏହାର ନିକଟସ୍ଥ ପୂର୍ବକେନ୍ଦ୍ରିୟ ବଙ୍ଗୋପସାଗରରେ କେନ୍ଦ୍ରିଭୂତ ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧିରେ ଧିରେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳ ବେଳକୁ ଏକ ଅବପାତରେ ପରିଣତ ହେବ । ୨୩ ତାରିଖରେ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଏହା ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ପରେ ଏହା କ୍ରମଶଃ ଉତରପଶ୍ଚିମ ଦିଗରେ ଗତି କରିବ । ୨୪ ତାରିଖ ସକାଳ ସୁଦ୍ଧା ଏହା ଉତରପଶ୍ଚିମ ବଙ୍ଗୋପସାଗର ଅର୍ଥାତ୍ ଓଡ଼ିଶା-ପଶ୍ଚିମବଙ୍ଗକୁ ଲାଗି ରହିଥିବା ବଙ୍ଗୋପସାଗରରେ ପହଂଚିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଏହାର ପ୍ରଭାବରେ ସମୁଦ୍ର ଧିରେ ଧିରେ ଅଶାନ୍ତ ହେବ । ପବନର ବେଗ ବଢିବ । ୨୩ ତାରିଖ ସଂନ୍ଧ୍ୟା ଠାରୁ ଓଡ଼ିଶା ଉପକୂଳରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିବ । ପରବର୍ତୀ ସମୟରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇବ । ୨୪ ତାରିଖ ରାତି ବେଳକୁ ପବନର ବେଗ ଘଂଟା ପ୍ରତି ୧୦୦ରୁ ୧୨୦ କି.ମି. ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଉଛି ।
ସେହିପରି ୨୩ ତାରିଖ ଠାରୁ ଓଡ଼ିଶା ଉପକୂଳ ଅଂଚଳରେ ବର୍ଷା ଆରମ୍ଭ ହେବ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ଅଧିକ ବର୍ଷା ଓ ଅଧିକ ପବନ ରହିବ । ଆଭ୍ୟନ୍ତରିଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏପରିକି ଆଉ କେତେକ ସ୍ଥାନରେ ୩୦ ସେ.ମି. ପର୍ଯ୍ୟନ୍ତ କିମ୍ବା ୩୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳକୁ ସତର୍କ ସୂଚନା ଜାରି କରାଯାଇଛି ।