ଭୁବନେଶ୍ୱର– କୋଇଲା ନଗରୀ ତାଳଚେର ସହ ଧାମରା ଓ ପାରାଦୀପ ବନ୍ଦର ଜଳପଥରେ ଯୋଡ଼ିହେବ । ଓଡ଼ିଶାରେ ନ୍ୟାସନାଲ ୱାଟର ୱେ -୫ ତିଆରି ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଇନଲ୍ୟାଣ୍ଡ ୱାଟର ଅଥରିଟି ଅଫ ଇଣ୍ଡିଆ ସହ ମିଶି କାମ କରୁଛନ୍ତି ରାଜ୍ୟ ସରକାର । ଏବେ ଏହା ପ୍ରାରମ୍ଭିକ ସ୍ତରରେ ରହିଛି । ବାଣିଜ୍ୟ ଓ ପରିବହନ ସଚିବ ଶ୍ରୀମତୀ ଉଷା ପାଢୀ ଏହି ସୂଚନା ଦେଇଛନ୍ତି ।
ଆଜି ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ଅନ୍ତର୍ଦେଶୀୟ ଜଳପଥରେ ଗ୍ରୀନ ଟେକ୍ନୋଲଜି ବ୍ୟବହାର ସମ୍ପର୍କିତ ଦୁଇ ଦିନିଆ କର୍ମଶାଳାରେ ଯୋଗଦେଇ ସେ କହିଛନ୍ତି ଯେ, ହାଦ୍ବାରା ଜଳପଥରେ ଦକ୍ଷ ଉପାୟରେ ଏକକାଳୀନ ଅଧିକ ମାଲ ପରିବହନ ସମ୍ଭବ ହୋଇପାରିବ । ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ ପାଇଁ ଆଇଆଇଟି ମାଡ୍ରାସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି । ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ-୫ରେ ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ମଙ୍ଗଳଗଡି ଦେଇ ଧାମରା ଓ ଧାମରାରୁ ପାରାଦୀପକୁ ଜଳ ପଥରେ ଯୋଡ଼ିବାକୁ ଯୋଜନା ହୋଇଛି । ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି ।