ବଲାଙ୍ଗିର– ପାଣି ଟାଙ୍କି ତିଆରି ସରିଛି, ଅଥଚ କାମରେ ଆସୁନି । କୁହାଯାଉଛି, ଲିକେଜ୍ ଯୋଗୁଁ ବ୍ୟବହାର ହେଉନାହିଁ କୋଟି କୋଟି ଟଙ୍କାରେ ନିର୍ମିତ ପାଣିଟାଙ୍କି । ବଲାଙ୍ଗିର ସହରର ସିଆର୍ପିଏଫ୍ କାର୍ଯ୍ୟାଳୟ ପଛ ପାଖରେ ଥିବା ଆର୍ଆର୍ କଲୋନୀ ଡି’ ବ୍ଲକ୍ରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ନବନିର୍ମିତ ପାଣିଟାଙ୍କିରେ ଟ୍ରାଏଲ୍ ପାଇଁ ପାଣି ଭର୍ତ୍ତି କରାଯିବାରୁ ପ୍ରବଳ ପାଣି ଲିକେଜ୍ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାପରେ ଆଉ ଟାଙ୍କି ଉପରକୁ ପାଣି ଉଠାଯାଉ ନଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳୁଛି ।
ଚିର ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗିର ଜିଲ୍ଲାରେ ପାଣି ସମସ୍ୟା ଦୂର କରାଯିବାକୁ ୨୯ ଖଣ୍ଡ ଗାଁ ବାସିନ୍ଦାଙ୍କୁ ବିସ୍ଥାପିତ କରାଯାଇଥିବା ବେଳେ ବିସ୍ଥାପିତ ଲୋକେ ନିୟମିତ ପିଇବା ପାଣି ପାଉନଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିସ୍ଥାପିତମାନେ କ୍ଷୋଭର ସହ କହିଛନ୍ତି ଯେ, ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ବିସ୍ଥାପିତ କରାଯାଇଥିଲା । କିନ୍ତୁ, ସେମାନେ ପ୍ରଶାସନର କଥା ମାନି ବିସ୍ଥାପିତ ହେବା ପରେ ଏବେ ନାନାପ୍ରକାର ଅବ୍ୟବସ୍ଥା ଭିତରେ ଜୀବନ ଅତିବାହିତ କରୁଛନ୍ତି ।