କେନ୍ଦ୍ରାପଡା– କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡାଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନଧରି ସେ ଅସୁସ୍ଥ ଥିଲେ । ଚିକିତ୍ସା ନିମନ୍ତେ ଘରୋଇ ମେଡିକାଲରେ ଭର୍ତି ହୋଇଥିଲେ । ଆଜି ସକାଳ ପ୍ରାୟ ସାଢେ ୯ଟାରେ ତାଙ୍କର ପରଲୋକ ଘଟିଛି ।
ଉତ୍କଳ କେଶରୀ ପରିଡା କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ସଲାରୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ । ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ ସୁଚାରୂ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଭାବେ ସେ ଦାୟିତ୍ଵ ତୁଲାଇ ଥିଲେ । ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।