ପୁରୀ– ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏଥିସହ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ତାଙ୍କ ପ୍ରବେଶ ଉପରେ ବି ନିଷିଦ୍ଧାଦେଶ ଜାରି କରାଯାଇଛି । ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣାରେ ପନ୍ତିବଡ଼ୁ ସେବକ ଚନ୍ଦନଙ୍କ ସଂପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ମୁଖ୍ୟ ପ୍ରାଶାସକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପରବର୍ତୀ ସମୟରେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ କହିଛନ୍ତି ।
ପ୍ରକାଶ ଥାଉକି, ଗତକାଲି ସଂନ୍ଧ୍ୟାରେ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ହୋଇଥିଲା । ତାଙ୍କ କାନ୍ଧ, ପିଠି ଓ ହାତରେ ଗଭୀର ଆଘାତ ଲାଗିଥିଲା ।