
ସୁନ୍ଦରଗଡ଼- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତୁନମୁରା ପଂଚାୟତର ଅଟୋମୁଣ୍ଡା ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗତ ରାତିରେ ଏକ ଦନ୍ତାହାତୀ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜଣକୁ ଦଳି ମାରି ଦେଇଛି ।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ହାତୀଟି ଗ୍ରାମରେ ପଶି ଘରଦ୍ୱାର ଭଙ୍ଗାରୁଜା କରୁଥିବା ଦେଖି ଗ୍ରାମବାସୀ ଭୟଭିତ ହୋଇପଡିଥିଲେ । ଏହି ସମୟରେ ନରବେଟ କୁଲୁ ନାମକ ଜଣେ ୪୯ ବର୍ଷିୟ ବ୍ୟକ୍ତି ଭୟରେ ଘରୁ ପଦାକୁ ବାହାରି ଆସିଥିବା ବେଳେ ହଠାତ୍ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ ନେଇ ପାଦରେ ଦଳି ଦେବାରୁ ସେ ଗୁରୁତର ହୋଇପଡିଥିଲେ । ଗ୍ରାମବାସୀଙ୍କ ସହାୟତରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପ୍ରଥମେ ରାଜଗାଙ୍ଗପୁର ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ବିଳମ୍ବିତ ରାତିରେ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନା (ଆରଜିଏଚ)କୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ହାତୀଟି ପ୍ରାୟ ୪ଟି ମାଟିଘର ଭଙ୍ଗାରୁଜା କରିଛି । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରକାଶ ଥାଉକି, ମୃତକ ନରବେଟ କୁଲୁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କର ୪ ସନ୍ତାନ ସନ୍ତତି, ପତ୍ନୀ ଓ ବୃଦ୍ଧ ପିତା ମାତା ଅଛନ୍ତି । ସମସ୍ତେ ତାଙ୍କ ଉପରେ ନିର୍ଭରଶୀଳ ଥିଲେ । ଫଳରେ ଏବେ ନରବେଟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛି । ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ଆବଶ୍ୟକ ସରକାରୀ ସହୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।