ଭୁବନେଶ୍ୱର, ସରକାରୀ ରାଜକୋଷ ଉପରେ ଅଯଥା ବୋଝ ପକାଇବା ଉଚିତ ନୁହେଁ । ଏହି ଭାବନା ନେଇ ମୋହନ ମାଝୀ ସରକାର କାର୍ଯ୍ୟ କରୁଛନ୍ତି । ଏହି ପାର୍ଥକ୍ୟ ଯୋଗୁଁ ଲୋକେ ବିଜେପିକୁ ଭୋଟ ଦେଇ ଜିତାଇଛନ୍ତି । ଚାଟାର୍ଡ ଫ୍ଲାଇଟ ବଦଳରେ ମୁଖ୍ୟମନ୍ତ୍ରୀ ସାଧାରଣ ଫ୍ଲାଇଟରେ ଲୋକଙ୍କ ସହ ଯାତ୍ରା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ପୂର୍ବବର୍ତୀ ସରକାରରେ ବାବୁ ଓ ମନ୍ତ୍ରୀ ମାନେ ବିମାନ ବୁଲାରେ ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି । ସରକାରୀ ଟଙ୍କାକୁ ସେମାନେ ଦୁରୁପଯୋଗ କରୁଛନ୍ତି । ଦଳୀୟ ମିଟିଂ ପାଇଁ ହେଲିକପ୍ଟର ଓ ପ୍ଲେନ୍ ନେଇ ଯାଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ଯେ ଆମେ ସାଧାରଣ ଭାବେ ଚାଲିବାର ଆବଶ୍ୟକତା ଅଛି । ସେହି ଦୃଷ୍ଟିଭଙ୍ଗୀ ଅନୁସାରେ ଯଦି ସ୍ପେଶାଲ ଫ୍ଲାଇଟ୍ ବଦଳରେ ଯଦି ସେଠି ସର୍ଭିସ ଫ୍ଲାଇଟ ଉପଲବ୍ଧ ଅଛି । ତେବେ ସେଠାରେ ଚାଟାର୍ଡ ଫ୍ଲାଇଟ ନେଇ ସରକାରୀ ରାଜକୋଷ ଉପରେ ଅଯଥା ବୋଝ ପକାଇବା ନାହିଁ, ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ପୁରା ସରକାରର ଭାବନା ଅଛି ।